Saturday, May 18, 2024

Logo
google-add

ବିଜେଡି ଦେଲା ଚେତାବନୀ: ବିଦାହେବେ ସୌମ୍ୟରଞ୍ଜନ ପଟ୍ଟନାୟକ

| 17:52 PM, Wed Sep 13, 2023

ଓଡ଼ିଶା365(ବ୍ୟୁରୋ): ବିଜେଡିରୁ କଟିଲା ସୈାମ୍ୟ ପଟ୍ଟନାୟକଙ୍କ ପତ୍ତା। ପାଣ୍ଡିଆନଙ୍କୁ ବିରୋଧ କରି ଉପସଭାପତି ପଦ ହରାଇଲେ ସୌମ୍ୟ । ଆଗକୁ ଦଳରୁ ମଧ୍ୟ ବହିଷ୍କାର ହୋଇପାରନ୍ତି । ଦଳ ଦେଲା ଚେତାବନୀ । ଚୁପ ରୁହ ନହେଲେ ବିଦା ହେବ । ଏବେ କଣ କରିବେ ସୈାମ୍ୟ । ଚୁପ ରହିବେ ନା ପୁଣି ଆମ ଘରର ହାଲଚାଲରେ ଦଳ ବିରୋଧରେ ଓ ପାଣ୍ଡିଆନଙ୍କ ବିରୋଧରେ ଲେଖିବେ । ବିବାଦୀୟ ସମ୍ପାଦକୀୟ ଓ ଦଳ ବିରୋଧୀ ମନ୍ତବ୍ୟ ପାଇଁ ବିଜେଡିରେ କେହି ବି ସୌମ୍ୟଙ୍କୁ ସମର୍ଥନ କରୁନାହାଁନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ବାସ ମଧ୍ୟ ସୈାମ୍ୟଙ୍କ ଠାରୁ ହଟିଯାଇଛି । ଏଭଳି ସ୍ଥିତିରେ ସୌମ୍ୟ ଓ ବିଜେଡିର ଅନେକ ନେତା ଏବେ କେବଳ ଗଣମାଧ୍ୟମରେ ନିଜ ନିଜର ଗୋହି ଖୋଳୁଛନ୍ତି । ସୈାମ୍ୟଙ୍କ ପରେ ପାଣ୍ଡିଆନଙ୍କୁ କ୍ଷମତାକୁ ନେଇ ଆଉ କେହି ପ୍ରଶ୍ନ କରିବେନି । ଏଥିପାଇଁ ପୁରା ବିଜେଡି ରଣନୀତି କରିଛି ।

ସେପଟେ ଉପସଭାପତି ପଦରୁ ବିଦା ହେବା ପରେ ସୌମ୍ୟଙ୍କ ବକ୍ତବ୍ୟକୁ ନେଇ କାଉଣ୍ଟର କରିଛନ୍ତି ବିଜେଡି ନେତାମାନେ । ବିଜେଡି ସାଂସଦ ମାନସ ମଙ୍ଗରାଜ ନାଁ ନନେଇ ସୌମ୍ୟଙ୍କୁ ପରୋକ୍ଷରେ କାଉଣ୍ଟର କରିଛନ୍ତି । କହିଛନ୍ତି, ଦଳ ଭିତରେ ରହି ଦଳ ବିରୋଧୀ କାର୍ଯ୍ୟ ଆଦୌ ଠିକ୍ ନୁହେଁ । ବିଜେଡିରେ ଥାଇ ସେ ବିଜେଡିକୁ ସମାଲୋଚନା କରୁଛନ୍ତି । ପୂର୍ବରୁ କଂଗ୍ରେସ ଓ ବିଜେପିରେ ରହି ମଧ୍ୟ ସେ ଦଳକୁ ସମାଲୋଚନା କରୁଥିଲେ । କେବଳ ସେ ନୁହଁନ୍ତି, ବିଜେଡି ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ସୌମ୍ୟ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ହରାଇଛନ୍ତି । ସେ ନିଜେ ଇସ୍ତଫା ଦେଇଦେବା ଉଚିତ।

ବିଜେଡିର ଅଭିଯୋଗ ଅନୁଯାୟୀ, ନିଜର ରାଜନୈତିକ ଅଭିସନ୍ଧିକୁ ପୂରଣ କରିବା ପାଇଁ ଦଳକୁ ବ୍ଲାକମେଲ୍ କରୁଥିଲେ ସୌମ୍ୟ । ସେଥିପାଇଁ ଦଳ ବିରୁଦ୍ଧରେ ଦେଉଥିଲେ ବିବାଦୀୟ ମନ୍ତବ୍ୟ । ମନ୍ତ୍ରୀ ପଦ ଲୋଭରେ ନେତୃତ୍ୱକୁ କରୁଥିଲେ ବ୍ଲାକମେଲ୍ । ସେ ବିଜେଡିକୁ ଶିଢି କରି ନିଜର ରାଜନୈତିକ ସ୍ପପ୍ନକୁ ସାକାର କରିବାକୁ ଚେଷ୍ଟା କରୁଥିଲେ । ଶେଷରେ ତାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ଯଦି ଆଗକୁ ସୌମ୍ୟଙ୍କ ଆଲେଖ୍ୟ ଓ ଆକ୍ରମଣ ଏମିତି ଜାରି ରହେ, ତେବେ ବିଜେଡି ସୌମ୍ୟଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । ଦେଖାଯାଉ ବିଜେଡିରେ ସୌମ୍ୟ ଝଡ଼ ଆଗକୁ କେଉଁ ରୂପ ନେଉଛି ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ରାଜନୀତି

google-add
google-add