Saturday, May 18, 2024

Logo
google-add

ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ

| 18:03 PM, Fri Oct 27, 2023

ଓଡ଼ିଶା 365 (ବ୍ୟୁରୋ): ଗାଁ ମଝିର ସେ ଚାନ୍ଦିନୀ ଅଛି ହେଲେ ସଙ୍ଗୀତ ଜଗତର ସେ ଚନ୍ଦ୍ର ଆଜି ଦୂର ଦିଗବଳୟରେ ଲୁଚିଯାଇଛନ୍ତି । ନୀଳ ସାଗର ଅଛି ହେଲେ ସେ ସାଗରକୁ ଦେଖି ଆନମନା ହେଉଥିବା ବ୍ୟକ୍ତିଟି ଆଖି ବୁଜି ଦେଇଛି । ଅନେକ ନାୟିକାଙ୍କ ଚାଲିରେ ସେ ପଦ୍ମ ଫୁଟାଇଛନ୍ତି ଆଉ ହସରେ ମହୁ ଝରାଇଛନ୍ତି। ହେଲେ ସେ ପଦ୍ମର ନାୟକ ଆଜି କିନ୍ତୁ ସବୁଦିନ ପାଇଁ ମଉଳି ଯାଇଛନ୍ତି। ତାଙ୍କ ସଙ୍ଗୀତ କାହାକୁ ସଜେଇଦିଏ ପ୍ରେମିକା ତ ଆଉ କାହାକୁ ନବବଧୁ । ଝରଣା ପାଣିରେ ସେ ଲେଖିଦେଉଥିଲେ ମନର କଥା। ଓଢଣୀ ଓଢଣି ନାଲି ଓଢଣୀରେ ସେ କହୁଥିଲେ ନୂଆ ବୋହୂର କଥା । ସବୁଦିନ ପାଇଁ ନିରବି ଯାଇଛି ତାଙ୍କ ଜାଦୁଗରୀ ସ୍ୱର । ହୀରାନୀଳା କଥାଚିତ୍ରରୁ ସଙ୍ଗୀତକାର ଭାବରେ କ୍ୟାରିଅର ଆରମ୍ଭ କରିଥିବା ସ୍ୱରୂପ ଥିଲେ ଓଡ଼ିଆ ସଙ୍ଗୀତ ଜଗତର ଔଜଲ୍ୟମାନ ହୀରା । ଓଡ଼ିଆ ଆଧୁନିକ ସଙ୍ଗୀତର ଜଗତର ସେ ଥିଲେ ସ୍ରଷ୍ଟା ।

ତାଙ୍କର ଅଭିନୟ ଠାଣି ହେଉ ଅବା ସଙ୍ଗୀତର ସୁମଧୁର ନିର୍ଦ୍ଦେଶନା, ତାଙ୍କୁ ଦର୍ଶକଙ୍କ ନିକଟତର କରିପାରିଥିଲା ସବୁଥିରେ। ଓଡିଉଡ୍ ଜଗତରେ ସେ ଥିଲେ ଦର୍ଶକଙ୍କ ପ୍ରିୟପାତ୍ର । ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟଗାୟକ ଓ ଅଭିନେତା ଭାବରେ ଖ୍ୟାତି ଅର୍ଜନ କରିଥିବା ସ୍ୱରୂପ ନାୟକ ସବୁଦିନ ପାଇଁ ଶୋଇଯାଇଛନ୍ତି ଚିର ନିଦ୍ରାରେ । କେବଳ ଅଛି ତାଙ୍କ ସଙ୍ଗୀତ ଆଉ ଅଭିନୟର ଛାପ। ଦୀର୍ଘ ଦିନ ଧରି ଥ୍ରୋଟ କ୍ୟାନସରରେ ପୀଡ଼ିତ ଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ତାଙ୍କ ଅକାଳ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ୧୯୪୭ ମସିହା ଫେବ୍ରୁଆରୀ ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସ୍ୱରୁପ। ସେ ୬ଟି ଫିଲ୍ମରେ ମଧ୍ୟ ଅଭିନୟ କରିବା ସହ ୬ଟି ଫିଲ୍ମରେ ଗୀତ ମଧ୍ୟ ଗାଇଥିଲେ। ୪୧ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ତା ମଧ୍ୟରେ ରହିଥିଲା ସହର ଜଳୁଛି, ଲାଲ୍‌ ପାନ୍ ବିବି, ଉଦଣ୍ଡୀ ସୀତା, ସିନ୍ଦୂର ନୁହେଁ ଖେଳଘର, ମନ ରହିଗଲା ତୁମଠାରେ, ପୁଅ ମୋର ଭୋଳା ଶଙ୍କର, ଆଇ ଲଭ୍‌ ୟୁ ଓ କଥାନ୍ତର ଭଳି ହିଟ୍ ଚଳଚ୍ଚିତ୍ର। ଏହା ସହ ୩୦ଟି ଫିଲ୍ମ ପାଇଁ ଗୀତ ଲେଖିଥିଲେ ସବୁରି ପ୍ରିୟ ସ୍ୱରୁପ।

୧୯୬୨ ମସିହାରେ ଜୟଦେବ କଥାଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ସେ ଅଭିନୟ ଆରମ୍ଭ କରିଥିଲେ । ସତୀ ଅନସୂୟା, ସୁନା ସଂସାର, କଳାମାଣିକ, କଣ୍ଢେଇ ଆଖିରେ ଲୁହ, ଯଶୋଦା ଭଳି ଓଡ଼ିଆ ଛବିରେ ଅଭିନେତା ଭାବେ ସେ ନଜର ଆସିଥିଲେ । ତାଙ୍କ ଗୀତ ଯେମିତି ଦର୍ଶକଙ୍କୁ ଗୁଣୁଗୁଣେଇ ହେବାକୁ ବାଧ୍ୟ କରୁଥିଲା, ଠିକ୍ ସେମିତି ତାଙ୍କ ଅଭିନୟ ଦର୍ଶକଙ୍କୁ ହସାଉଥିଲା ଆଉ କନ୍ଦାଉଥିଲା । ଏବେ ଆଉ ସେ ମୁହଁରେ ରଙ୍ଗ ପାଉଡର ବୋଳିବେନି,ହାତ ଆଉ ହାରମନୋନିୟମ ଧରିବନି,ତାଙ୍କ ଭାବନା ରାଇଜକୁ ଆଉ ମାଡି ଆସିବନି ସଙ୍ଗୀତର ସୁମଧୁର ଶଦ୍ଦ,ଆଉ ଶୁଭିବନି ତାଙ୍କ ସୁରିଲା ଗୀତ। ଏବେ ସବୁ ଶୂନଶାନ। ଶେଷ ହୋଇଯାଇଛି ମହାନ ବ୍ୟକ୍ତିତ୍ୱ ସ୍ୱରୂପ ନାୟକଙ୍କ ଜୀବନର ଅଭିନୟ। ରଙ୍ଗମଞ୍ଚରୁ ଜୀବନର ରଙ୍ଗମଞ୍ଚ ସବୁ ଶେଷ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add