ବାତ୍ୟା ଦାନା ଚାଷୀଙ୍କ ମୁହଁରୁ ଛଡାଇନେଇଛି ଦାନା । ବାତ୍ୟା ଯିବା ପରେ କପ୍ତିପଦା ଉପଖଣ୍ଡ ର ଖୁଣ୍ଟା, ଉଦଳା, ଗୋପବନ୍ଧୁ ନଗର ଓ କପ୍ତିପଦା ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷ ଜମି ଏବେ ନଷ୍ଟ ହେବାକୁ ବସିଛି । ବର୍ଷା ପାଣି ସହ ପବନରେ ସବୁ ଅଞ୍ଚଳରେ ଏବେ ଏବେ ଧାନଗଛ ଗୁଡ଼ିକ ବିଲରେ ପାଣିରେ ପଡ଼ିଛି । ବର୍ଷା ପାଣିରେ ବଡବିଶୋଳ, ପେଡାଗଡି , ଜଡିଦା ଓ ଜଇଦା ଆଦି ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହେବାକୁ ବସିଛି, ବିଭିନ୍ନ ବ୍ୟାଙ୍କ ରୁ କରଜ କରି କରି ଧାନ ଚାଷ କରିଥିବା ଚାଷୀକୁଳ ଏବେ ଭଗବାନଙ୍କୁ ଭରସା କରି ଚିନ୍ତାରେ ରହିଛି ।
ସେହିପରି କେନ୍ଦୁଝର ଜିଲ୍ଲାରେ ୩୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଆନନ୍ଦପୁର ଉପଖଣ୍ଡରେ ଏହାର ପ୍ରଭାବ ପଡିଛି। ଏବେ ଶିବନାରାୟଣପୁର ଗ୍ରାମରେ ଏକର ଏକର ଚାଷ ଜମି ପାଣିରେ ଭାଷୁଥିବା ବେଳେ ଧାନ ଅମଳ ହେବା ଅସମ୍ଭବ ହୋଇପଡିଛି। ଗ୍ରାମରେ ୭୦୦ରୁ ଅଧିକ ପରିବାର ବାସ କରୁଥିବା ବେଳେ ୮୦ଭାଗ ଲୋକ ଚାଷ ଉପରେ ହିଁ ନିର୍ଭର କରିଥାନ୍ତି। କିନ୍ତୁ ଚଳିତ ବାତ୍ୟାରେ ଗ୍ରାମର ୯୦ ଭାଗ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ଏ ଅଞ୍ଚଳରେ ବିଳମ୍ବରେ ଚାଷ ହୋଇଥିବାରୁ ଏବେ ଧାନଗଛ ଗୁଡିକ ଫୁଲଖେଳାଉ ଥିଲା। ଏ ସମୟରେ ଧାନଗଛ ଗୁଡିକ ଭାଙ୍ଗିପତି ପାଣିରେ ଲୋଟୁ ଥିବାରୁ ଏଥିରୁ ଧାନ ଫଳ ବାହାରି ପାରିବ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି।