ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍କୁ ଜିତିଛି ନ୍ୟୁଜିଲାଣ୍ଡ । ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ ରଚିଛି । ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଏଭଳି କାରନାମା କରିଥିବା ବେଳେ ଭାରତର ଲଗାତାର ଟେଷ୍ଟ ସିରିଜ ଜିତିବାର ଧାରା ମଧ୍ୟ ଭାଙ୍ଗି ଯାଇଛି ।
ଘରୋଇ ମାଟିରେ ଭାରତୀୟ କ୍ରିକେଟ୍ ଦୁର୍ଗର ପତନ ଘଟିଛି। ୧୨ ବର୍ଷ ପରେ ପ୍ରଥମ ଥର ନିଜସ୍ବ ମାଟିରେ ଟେଷ୍ଟ୍ ଶୃଙ୍ଖଳା ହାରି ଲଜ୍ଜିତ ହୋଇଛି ରୋହିତ ଶର୍ମାଙ୍କ ଦଳ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍ ଏକ ବହୁ ପ୍ରତୀକ୍ଷିତ ସ୍ବପ୍ନକୁ ସାକାର କରିନେଇଛି।
ଭାରତ ମାଟିରେ ସର୍ବପ୍ରଥମ ଥର ଟେଷ୍ଟ୍ ଶୃଙ୍ଖଳା ଜିତିଯାଇଛି। ଯେଉଁ ଖେଳାଳି ଜଣଙ୍କ ନିଜ ଟେଷ୍ଟ୍ କ୍ରିକେଟ୍ ଜୀବନରେ କେବେ ବି ଗୋଟିଏ ପାଳିରେ ୩ରୁ ଅଧିକ ୱିକେଟ୍ ପାଇନଥିଲେ କି ମ୍ୟାଚ୍ରେ ୬ ୱିକେଟ୍ ସୀମା ଟପି ପାରିନଥିଲେ ସେ ହିଁ ଭାରତୀୟ ବ୍ୟାଟରଙ୍କୁ ସେମାନଙ୍କ ମାଟିରେ ଧୂଳି ଚଟାଇଛନ୍ତି। ପୁଣେରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍ରେ ସେ ଉଭୟ ପାଳିରୁ ୧୩ ୱିକେଟ୍ (୭/୫୩ ଓ ୬/୧୦୪) ନେଇ ରାତାରାତି କେବଳ ନାୟକ ସାଜିନାହାନ୍ତି। ଟମ୍ ଲଥାମଙ୍କ ଦଳକୁ ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟ ଅର୍ପଣ କରିଥିବା ଏହି ବାମହାତୀ ସ୍ପିନର୍ ଜଣଙ୍କ ହେଲେ ମିଚେଲ୍ ସାଣ୍ଟନର୍।
ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ସାଣ୍ଟନର୍ଙ୍କୁ ମିଳିଛି। ଭାରତ ପାଇଁ ଏକମାତ୍ର ସାନ୍ତ୍ବନା ହେଉଛି ଏହି ଟେଷ୍ଟ୍ରେ ପ୍ରତ୍ୟାବର୍ତ୍ତନ କରିଥିବା ୱାସିଂଟନ୍ ସୁନ୍ଦର ୧୧ ୱିକେଟ୍ (୭/୫୯ ଓ ୪/୫୬) ଦଖଲ କରିଥିଲେ। ତାଙ୍କ ବ୍ୟାଟ୍ରୁ ମଧ୍ୟ ୩୯ ରନ୍ ମିଳିଥିଲା।
୨୦୧୨-୧୩ରେ ଇଂଲଣ୍ଡ ଭାରତ ଗସ୍ତରେ ଦଳକୁ ଟେଷ୍ଟ ସିରିଜରେ ହରାଇଥିଲା । ଏହା ପରଠାରୁ ଭାରତୀୟ ଟିମ୍ ଘରୋଇ ମାଟିରେ ସିରିଜ ପରାଜୟର ନଜିର ନାହିଁ । ଦଳ ଲଗାତାର ୧୮ ସିରିଜରେ ବିଜେତା ହୋଇଥିଲା। ହେଲେ ଏବେ ଏଥିରେ ବ୍ରେକ୍ ଲାଗିଛି ।
ସେହିଭଳି ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ୪ର୍ଥ ମ୍ୟାଚ୍ରେ ପରାଜିତ ହୋଇଛି । ସେ ଏବେ ଭାରତ ପାଇଁ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ହାରିବା ମାମଲାରେ ସଂଯୁକ୍ତ ଭାବେ ଦ୍ୱିତୀୟ ଭାରତୀୟ ଅଧିନାୟକ ପାଲଟିଛନ୍ତି ।
ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଦଳ ୨୫୯ ରନ୍ କରିଥିଲା । ଜବାବରେ ଟିମ୍ ଇଣ୍ଡିଆ ୧୫୬ ରନ୍ କରି ଅଲଆଉଟ୍ ହୋଇଥିଲା । ପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରି ୨୫୫ ରନ୍ କରିବାରେ ସଫଳ ହୋଇଥିଲା । ଏମିତିରେ ଭାରତକୁ ୩୫୯ରନ୍ର ଟାର୍ଗେଟ ମିଳିଥିଲା । ହେଲେ ଯଶସ୍ୱୀ ଜୟସ୍ୱାଲଙ୍କୁ ଛାଡ଼ି ଅନ୍ୟ ବ୍ୟାଟ୍ସମ୍ୟାନ୍ ବିଫଳ ହେବାରୁ ଦଳକୁ ପରାଜିତ ହେବାକୁ ପଡ଼ିଛି । ନ୍ୟୁଜିଲାଣ୍ଡ ୨-୦ରେ ସିରିଜରେ ଆଗୁଆ ହୋଇଛି ।