ପ୍ରତିଶୋଧ ନେଇଛି ଇସ୍ରାଏଲ ସେନା । ଶୁକ୍ରବାର ମଧ୍ୟ ରାତି , ଶନିବାର ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି । ଇସ୍ରାଏଲ ପ୍ରତିଶୋଧ ନେବାକୁ ପୂର୍ବରୁ କହିଥିଲା । ଆଜି ଇସ୍ରାଏଲ ପକ୍ଷରୁ ବଡ଼ ଧରଣର ଆକ୍ରମଣ ହୋଇଥିବା ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିବା ସ୍ପଷ୍ଟ କରାଯାଇଛି ।
ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତ୍ୟୁ ପରେ ଇରାନ ଇସ୍ରାଏଲ ଉପରେ ଶହ ଶହ କ୍ଷେପରାସ୍ତ୍ର ନିକ୍ଷେପ କରିଥିଲା । ଆକ୍ରମଣର 24 ଦିନ ପରେ ଏହି ଆକ୍ରମଣର ପ୍ରତିଶୋଧ ନେଇଛି ଆଇଡ଼ିଏଫ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ମଧ୍ୟ ଇରାନ ଉପରେ ଆକ୍ରମଣ କରାଯିବ ବୋଲି କହିଥିଲେ ।
ଇରାନର ରାଜଧାନୀ ତେହେରାନର ନିକଟବର୍ତୀ ଅଞ୍ଚଳରେ ଶୁକ୍ରବାର ରାତିରେ 7 ଟି ସ୍ଥାନରେ ବଡ଼ ବିସ୍ଫୋରଣ କରାଯାଇଛି । ଇରାନର ସାମରିକ ବେସକୁ ମଧ୍ୟ ଟାର୍ଗେଟ କରିଛି ଇସ୍ରାଏଲ । ଇରାନର କ୍ରମାଗତ ଆକ୍ରମଣର ଜବାବରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରୁଛି ବୋଲି ଆଇଡ଼ିଏଫ କହିଛି ।
ସେପଟେ ଏହି ଆକ୍ରମଣକୁ ହାଲୁକା ଭାବେ ଗ୍ରହଣ କରିଛି ଇରାନ । ଇରାନର ରାଜଧାନୀ ତେହେରାନରେ ପରିସ୍ଥିତି ସ୍ବାଭାବିକ ଥିବା ଇରାନ କହିଛି । ଏହି ଆକ୍ରମଣରେ ଇରାନର କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାର ରିପୋର୍ଟ ସାମ୍ନାକୁ ଆସିନାହିଁ । ଆଇଡ଼ିଏଫ ଦ୍ବାରା ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ହତ୍ୟା ପରେ ଆକ୍ରମଣାତ୍ମକ ହୋଇଥିଲା ଇରାନ। ଏହାର ଜବାବ ଦେବାକୁ ଇସ୍ରାଏଲ କହିଥିଲା । ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ।