ବାତ୍ୟା ପ୍ରଭାବରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ଅଞ୍ଚଳ ଏକପ୍ରକାର ବେହାଲ୍ ହୋଇଯାଇଛି। ବାତ୍ୟାର ପ୍ରଭାବ ଏତେ ଭୟଙ୍କର ନ ଥିଲେ ବି ଲଗାଣବର୍ଷା ଯୋଗୁ ବିଭିନ୍ନ ଗାଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଢେଉ ଖେଳୁଛି। ଗାଁମାନଙ୍କରେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ କେତେକ ସ୍ଥାନରେ ଘର ଭିତରେ ପାଣି ପଶି କଚ୍ଚାଘର ଭାଙ୍ଗିଯାଇଛି। ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।
ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ମୁଖ୍ୟତଃ ବାଲେଶ୍ବର , ଭଦ୍ରକ , ଯାଜପୁର, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଜାରି ରହିଛି । ଫଳରେ ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । କଟକ ଓ ଭୁବନେଶ୍ବରେ ସାମାନ୍ୟ ବର୍ଷା ହେଉଥିବା ବେଳେ ଜଗତସିଂହପୁର , କେନ୍ଦ୍ରାପଡ଼ା ଜିଲ୍ଲାରେ ବି ଝିପିଝିପି ବର୍ଷା ଜଣାଯାଇଛି ।
ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଜୋରରେ ପବନ ବହୁଛି । ଶୁଗ୍ରକବାର ଚାନ୍ଦବାଲିରେ ସର୍ବାଧିକ ୧୫୮.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି କେନ୍ଦ୍ରାପଡ଼ା ରାଜକନିକାରେ ୧୫୬ ମିଲିମିଟର, ଭଦ୍ରକ ବାସୁଦେବପୁର, କେନ୍ଦ୍ରାପଡ଼ା ମାର୍ଷାଘାଇରେ ୧୧୦ ମିଲିମିଟର, ରାଜନଗରରେ ୧୦୦ ମିଲିମିଟର, ମହାକାଳପଡ଼ା, ଆଳିରେ ୯୦ ଓ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।