ବାତ୍ୟା ଦାନା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ବୁଡ଼ିଛି ନୀଳଗିରିର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ମନ୍ଦିର । ପାହାଡ଼ରୁ ପାଣି ମାଡ଼ି ଆସିବା ଫଳରେ ମନ୍ଦିର ଚାରିପଟେ ୭ ଫୁଟରୁ ଅଧିକ ଉଚ୍ଚର ପାଣି ଚାଲିଛି। ପାଣିର ବେଗ ପ୍ରଖର ଥିବାରୁ ତାହା ଜଳପ୍ରପାତର ଭ୍ରମ ସୃଷ୍ଟି କରୁଛି ।
ତେବେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବା ଫଳରେ ଏହି ସ୍ଥାନ ଏବେ ବିପଦପୂର୍ଣ୍ଣ ଥିବାରୁ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକଙ୍କ ପାଇଁ ତିନି ଦିନ ଫାଟକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ମନ୍ଦିରରେ ପ୍ରଖର ସ୍ରୋତ ଚାଲିଥିବାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାବାଙ୍କ ଲିଙ୍ଗ ସ୍ପର୍ଶ ମଧ୍ୟ ବନ୍ଦ ରଖାଯାଛି ବୋଲି କହିଛି ପଞ୍ଚଲିଙ୍ଗେଶ୍ୱର ଟ୍ରଷ୍ଟ ବୋର୍ଡ କମିଟି।
ଗୋଟିଏ ପଟେ ବାତ୍ୟା ଦାନାର ପ୍ରଭାବରେ ରାସ୍ତାଘାଟ ବନ୍ଦ ରହିବା ସହିତ ଅନେକ ଲୋକଙ୍କ ଘରେ ପାଣି ପଶିଯାଇଛି। କାହା ଘର ଉପରେ ଗଛ ପଡ଼ି ଘର ଭାଙ୍ଗିଛି ତ ଆଉ କେଉଁଠି ରାସ୍ତା ଉପରେ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡ଼ି ରାସ୍ତା ଅବରୋଧ ହୋଇଛି। ଏପରିସ୍ଥିତିରେ ଆଉ ଏକ ବିପଦ ସ୍ଥାନୀୟ ନଈକୂଳିଆ ଲୋକଙ୍କ ମନରେ ଛାନିଆ ସୃଷ୍ଟି କରିଛି। ବାତ୍ୟା ଦାନା ଚାଲିଯିବା ପରେ ବନ୍ୟାଜଳକୁ ନେଇ ଏବେ ନଦୀକୂଳିଆ ଲୋକମାନେ ଭୟଭୀତ ଥିବା ଜଣାପଡ଼ିଛି।
ସୋର ଓ ସିମୁଳିଆ ବ୍ଲକର ସୀମାନ୍ତରେ ପ୍ରବାହିତ ହୋଇଥିବା କାଂଶବାଂଶ ନଦୀକୂଳିଆ ଲୋକେ ଏହି ବନ୍ୟାଜଳକୁ ନେଇ ବେଶ ଚିନ୍ତିତ। କାଂଶବାଂଶ ନଦୀର ଜଳସ୍ତର ୭.୫୦୫ଏମ ହେଲେ ଏହାକୁ ବିପଦସଙ୍କୁଳ କୁହାଯାଉଥିବା ବେଳେ ଗତକାଲି ରାତି ୧୧ଟା ସୁଦ୍ଧା ନଦୀର ଜଳସ୍ତର ୭.୧୬୫ଏମ ଥିଲା, ମାତ୍ର ଆଜି ସକାଳ ୭:୩୦ ସୁଦ୍ଧା ନଦୀର ଜଳ ବଢି ୭.୪୫୫ଏମରେ ଥିବା ଜଣାପଡ଼ିଛି। ଯାହାକି ବିପଦ ସଙ୍କେତ ଛୁଇଁବାକୁ ମାତ୍ର ସ୍ୱଳ୍ପ ବାକି। ଅନ୍ୟପଟେ ବର୍ଷା ଲାଗିରହିଥିବା ବେଳେ ନଦୀର ଜଳ ସମୟାନୁସାରେ ବଢୁଥିବାରୁ ନଦୀକୂଳିଆ ଲୋକେ ଭୟଭୀତ ହୋଇଛନ୍ତି।