ସାମୁଦ୍ରିକ ଝଡ଼ ‘ଦାନା’ର ପୂର୍ବାନୁମାନ ଅନେକ ଦିନ ହେଲା କରାଯାଇ ଆସୁଛି। ପୂର୍ବରୁ ଅନେକ ବାତ୍ୟାକୁ ସମ୍ମୁଖୀନ କରିଥିବା ଓଡ଼ିଶାବାସୀ ଏଥିରେ ସତର୍କ ହୋଇଥିବା ସହ ଯେକୌଣସି ପ୍ରକାର ଅସୁବିଧାକୁ ଏଡ଼ାଇବା ଲାଗି ଦୋକାନ ବଜାରରୁ ବହୁ ଜିନିଷ ଘରକୁ ବୋହି ନେଇଛନ୍ତି। ଲୋକମାନେ ଖାଦ୍ୟ ପଦାର୍ଥ ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିଛନ୍ତି। ବାତ୍ୟା ଆସିବାର ଦୁଇ ତିନି ଦିନ ପୂର୍ବରୁ ଲୋକମାନେ ଚାଉଳ, ଡାଲି, ଅଟା, ଆଳୁ, ପିଆଜ, ଚୁଡ଼ା, ଚିନି ସମେତ ପନିପରିବା ବହୁମାତ୍ରାରେ କିଣିଛନ୍ତି। ଏପରିକି ପେଟ୍ରୋଲ ପମ୍ପ ଗୁଡ଼ିକରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଲୋକମାନେ ଦିନରାତି ପେଟ୍ରୋଲ ପମ୍ପରେ ଧାଡ଼ିବାନ୍ଧି ଏକାଥରେ ସପ୍ତାହେ ଦୁଇ ସପ୍ତାହେ ପାଇଁ ଗାଡ଼ିରେ ପେଟ୍ରୋଲ ଓ ଡିଜେଲ ଭର୍ତ୍ତି କରିଛନ୍ତି। ବାତ୍ୟାର ପୂର୍ବ ଦିନ ହଠାତ୍ ରାଜଧାନୀ ଭୁବନେଶ୍ବର ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଦୋକାନବଜାର ଅଧିକ ମାତ୍ରାରେ ଚଳଚଞ୍ଚଳ ହୋଇଉଠିଲା। ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ କିନ୍ତୁ ବଜାର ସ୍ଥିତି ସ୍ବାଭାବିକ ରହିଛି।
ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ, ରାଜ୍ୟରେ ବାତ୍ୟା ପୂର୍ବରୁ ଲୋକମାନେ ୨୨ ଓ ୨୩ ତାରିଖରେ ପ୍ରାୟ ୩୦୦୦ କୋଟି ଟଙ୍କାର ସାମଗ୍ରୀ ଆଗୁଆ କିଣି ନେଇଛନ୍ତି। ବ୍ୟବସାୟ ଭାଷାରେ ଏହାକୁ ‘ପ୍ୟାନିକ୍ ବାଇଂ’ କୁହାଯାଉଛି। ଗୁରୁବାର ଦିନବେଳା ପବନ ଓ ବର୍ଷା ସେତେଟା ନଥିଲେ ମଧ୍ୟ ପୂର୍ବରୁ ଲୋକମାନେ ଅଧିକ ମାତ୍ରାରେ ସାମଗ୍ରୀ କିଣି ନେଇଥିବାରୁ ବଜାରକୁ ଆସିଲେ ନାହିଁ। ଏହାଦ୍ବାରା ଗୁରୁବାର ପାଇକାରୀ ଠାରୁ ଆରମ୍ଭ କରି ଖୁଚୁରା ବଜାରଗୁଡ଼ିକ ଖାଁ ଖାଁ ହୋଇଯାଇଛି। ନିଜେ ଛୋଟ ଛୋଟ ଦୋକାନ କରି ପେଟ ପୋଷୁଥିବା ବ୍ୟବସାୟୀ କିମ୍ବା ଦୋକାନରେ କାମ କରୁଥିବା ଆଖପାଖର ବ୍ୟକ୍ତିମାନେ ସହର ଛାଡ଼ି ଘରକୁ ପଳାଇଛନ୍ତି। ଏଥିଯୋଗୁ ଅନେକ ବ୍ୟବସାୟ ପ୍ରତିଷ୍ଠାନ ଆଜି ଦୋକାନ ଖୋଲି ପାରି ନାହାନ୍ତି।
ଓଡ଼ିଶା ବ୍ୟବସାୟୀ ସଂଘର ମହାସଚିବ ସୁଧାକର ପଣ୍ଡାଙ୍କ କହିବାନୁଯାୟୀ, ଦୋକାନବଜାର ଓ ବ୍ୟବସାୟ ସ୍ବାଭାବିକ ହେବାକୁ କିଛି ସମୟ ଲାଗିବ। ଏପରିକି ବାତ୍ୟା ଯିବା ପରେ ୨୫ ତାରିଖ ସନ୍ଧ୍ୟା ବେଳକୁ ସ୍ବାଭାବିକତା ଧୀରେ ଧୀରେ ଫେରିବ ବୋଲି ସେ ମତ ଦେଇଛନ୍ତି।