ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ପ୍ରଭାବରେ ବର୍ଷା ଲାଗି ରହିଛି । ଆଜି ଅଧିକା ବର୍ଷା ହେଉଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗତକାଲି ଠାରୁ ତୁହାକୁତୁହା ବର୍ଷା ଲାଗି ରହିଛି । ପବନ ସହ ଆଜି ବର୍ଷାର ପରିମାଣ ବଢ଼ିଛି। କିଛିସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ପବନର ବେଗ ମଧ୍ୟ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ କହିଛନ୍ତି, ବାତ୍ୟା ‘ଦାନା’ ପାରାଦୀପ ଠାରୁ ୧୫୦କିମି ଦୂରରେ ରହିଛି। ବିଗତ ୬ ଘଣ୍ଟାରେ ଏହା ଘଣ୍ଟା ପିଛା ୧୦କିମି ବେଗରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି।
ମୟୂରଭଂଜ, ଯାଜପୁର, କଟକରେ ଏହା ୬୦ରୁ ୮୦ ଓ ସର୍ବାଧିକ ୯୦କିମି ହୋଇପାରେ। ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝରରେ ପବନର ବେଗ ଘଣ୍ଟା ପିଛା ୬୦ରୁ ୭୦ ରହିବାକୁ ଥିବା ବେଳେ ସର୍ବାଧିକ ୮୦କିମି ରହିପାରେ। ସେହିପରି ସୁନ୍ଦରଗଡ଼ରେ ପବନର ବେଗ ଘଣ୍ଟା ପିଛା ୫୦ରୁ ୬୦କିମି ହୋଇପାରେ। ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବୌଦ୍ଧ, ନୟାଗଡ଼ ଓ ଗଂଜାମରେ ପବନର ଘଣ୍ଟା ପିଛା ବେଗ ୪୦ରୁ ୫୦କିମି ଆକଳନ କରାଯାଇଥିବା ଶ୍ରୀମତୀ ମହାନ୍ତି କହିଛନ୍ତି ଯେ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପବନର ବେଗ ଘଣ୍ଟା ପିଛା ୧୦୦ରୁ ୧୧୦କିମି ରହିବ। ସର୍ବାଧିକ ୧୨୦କିମି ହେବ ବୋଲି ଜଣାପଡିଛି ।