IMD ପୂର୍ବାନୁମାନ କରିଥିବା ସ୍ଥାନରେ ହିଁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ୧୦୦-୧୨୦ କିମି ବେଗରେ ବହିବ ପବନ । ଏହା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ପବନର ବେଗ ବି ବଢ଼ିଲାଣି । ମାତ୍ର ଏଯାଏ ‘ଦାନା’ର କୌଣସି ଆଖି ଦେଖାଯାଇନି ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ।
ବାତ୍ୟା ‘ଦାନା’ ଉପକୂଳ ଆଡକୁ ମାଡ଼ି ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ପବନର ବେଗ ବଢୁଥିବା ବେଳେ ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।
କେନ୍ଦ୍ରାପଡ଼ା ଏବଂ ମହାକାଳପଡ଼ାରେ ବିଭିନ୍ନ ସ୍ଥାନରେ ରାସ୍ତାରେ ଗଛ ଉପୁଡି ପଡ଼ିଛି। ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଗଛ କାଟି ରାସ୍ତା ସଫା କରୁଛନ୍ତି।
ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷା ପବନର ପ୍ରଭାବ ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନ ଏବଂ ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡ଼ିଛି।
ସେ କହିଛନ୍ତି, ସାଇକ୍ଲୋନ୍ ‘ଦାନା’ ବଙ୍ଗୋପସାଗରରୁ ବଳ ଗୋଟାଇ ଭୀଷଣ ରୂପ ଧାରଣ କରି ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି । ଭୀଷଣ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଉପକୂଳ ଆଡ଼େ ମୁହାଁଉଛି । ଆଜି ମଧ୍ୟରାତ୍ରିରୁ କାଲି ସକାଳ ଭିତରେ ଭିତରକନିକା-ଧାମରା ପାଖରେ କରିବ ଲ୍ୟାଣ୍ଡଫଲ୍ । ଲ୍ୟାଣ୍ଡଫଲ୍ ପରେ ବାତ୍ୟା ସାମାନ୍ୟ ରିକର୍ଭ କରିପାରେ ବୋଲି ସେ କହିଛନ୍ତି। ‘ଦାନା’ ଯୋଗୁ କେନ୍ଦ୍ରାପଡ଼ା-ଭଦ୍ରକ ଅଧିକ ପ୍ରଭାବିତ ହେବେ ।