ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ଏକ ଭଲ କ୍ରୀଡ଼ା ନୀତି ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି । ଏଥିସହିତ କ୍ରୀଡ଼ା ଭିତ୍ତିଭୁମିକୁ ସୁଦୃଢ କରିବା ସହିତ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାଙ୍କୁ ଚୟନ କରି ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଏବଂ ସେମାନଙ୍କ ସମଗ୍ର ବିକାଶ ପାଇଁ ସମସ୍ତ ପ୍ରକାର ସାହାର୍ଯ୍ୟ ଓ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତ ରଖିଛନ୍ତି । କ୍ରୀଡ଼ା ଓ ଯୁବସେବା ବିଭାଗ ଆନୂକୂଲ୍ୟରେ ମଙ୍ଗଳବାର କଳିଙ୍ଗ ଷ୍ଟାଡ଼ିୟମରୁ ଟେନିସ ସେଣ୍ଟର ଅଡ଼ିଟୋରିୟମଠାରେ ଅନୁଷ୍ଠିତ ଓଡ଼ିଶା କ୍ରୀଡ଼ା ନୀତିର ଚିଠାପ୍ରସ୍ତାବ ଉପରେ ଅନୁଷ୍ଠିତ ଏକ କର୍ମଶାଳାରେ ଏଭଳି ମତ ରଖିଛନ୍ତି ମନ୍ତ୍ରୀ ।
ରାଜ୍ୟରେ ଜିଲ୍ଲାକୁ ବ୍ଲକସ୍ତର ପର୍ଯ୍ୟନ୍ତ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ କରିବା ବ୍ଲକସ୍ତରରେ କ୍ରୀଡ଼ା କେନ୍ଦ୍ରର ନିର୍ମାଣ ଏବଂ କ୍ରୀଡ଼ା ନର୍ସରୀ ପ୍ରତିଷ୍ଠା ମାଧ୍ୟମରେ ବିଭିନ୍ନ ଯୁବପ୍ରତିଭାଙ୍କୁ ଚୟନ କରାଯାଇ ଉପଯୁକ୍ତ ପ୍ରଶିକ୍ଷଣ ମାଧ୍ୟମରେ ସଶକ୍ତ କରାଯାଇପାରିଲେ କ୍ରୀଡ଼ାର ବିକାଶ ହୋଇପାରିବ ଏଥିସହ ବିଦ୍ୟାଳୟ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ଜିଲ୍ଲା ରାଜ୍ୟ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ମାଧ୍ୟମରେ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ମନ୍ତ୍ରୀ କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଶିକ୍ଷା କ୍ଷେତ୍ରରେ କ୍ରୀଡ଼ାକୁ ଏକ ନିୟମିତ ପାଠ୍ୟକ୍ରମ ରୂପେ ଅନ୍ତର୍ଭୁକ୍ତ କରାଯାଇପାରିଲେ ଯୁବ କ୍ରୀଡ଼ାବିତ୍ ଏବଂ ସେମାନଙ୍କର ଅଭିଭାବକମାନଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରିବ। ଏଥି ସହ ବିଦ୍ୟାଳୟ ଗୁଡ଼ିକରେ ଶାରୀରିକ ଶିକ୍ଷା ପ୍ରଦାନ, ଯୋଗଶିକ୍ଷା ପ୍ରଦାନ, ଏକ କ୍ରୀଡ଼ା କୈନ୍ଦ୍ରିକ ବାତାବରଣର ବିକାଶ ହେବା, ସ୍ବଦେଶୀ କ୍ରୀଡ଼ାର ବିକାଶ ହେବା ନିତାନ୍ତ ଆବଶ୍ୟକ। ଏଥିସହିତ ମନ୍ତ୍ରୀ ଶ୍ରୀ ସୂରଜ କ୍ରୀଡ଼ା ପର୍ଯ୍ୟଟନ, କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ଅର୍ଥ ନିବେଶ ଆଦି ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ। କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ତେଣୁ ଓଡ଼ିଶାର ଖେଳାଳି ଯେପରି ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ରାଜ୍ୟ ପାଇଁ ଗୌରବ ଅର୍ଜନ କରିପାରିବେ ସେ ଦିଗରେ କାର୍ଯ୍ୟ କରାଯିବ। ପାରା ଖେଳାଳିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସଶକ୍ତ କରାଯିବ ବୋଲି ମନ୍ତ୍ରୀ କହିଥିଲେ।