ଦୁଇ ସର୍ବବୃହତ୍ ଉଦୀୟମାନ ଅର୍ଥବ୍ୟବସ୍ଥା ଭାରତ ଏବଂ ଚୀନ୍ କ୍ରମାଗତ ଭାବେ ବିଶ୍ୱ ଆର୍ଥିକ ଆଲୋଚନାରେ କେନ୍ଦ୍ରରେ ରହିଛନ୍ତି। ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ ଇଣ୍ଡିଆ ଲିଡରଶିପ୍ ଶିଖର ସମ୍ମିଳନୀରେ, ଏହି ବୃହତ୍ ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ପରିବର୍ତ୍ତିତ ଗତିଶୀଳତା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା। ବିଗତ ଦଶନ୍ଧିଗୁଡ଼ିକରେ ଚୀନର ଦ୍ରୁତ ଅଭିବୃଦ୍ଧି ଏହାକୁ ବିଶ୍ୱ ମଞ୍ଚରେ ଏକ ପ୍ରଭାବଶାଳୀ ରାଷ୍ଟ୍ର ଭାବରେ ପରିଣତ କରିଥିବାବେଳେ ଭାରତର ସାମ୍ପ୍ରତିକ ଅଭିବୃଦ୍ଧି ବୃଦ୍ଧି ବିଶ୍ୱର ଧ୍ୟାନ ଆକର୍ଷଣ କରିଛି ଏବଂ ଏହାକୁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ସ୍ଥାନିତ କରିଛି।
ଏହି ଉର୍ଦ୍ଧ୍ବମୁଖୀ ଗତିପଥର ଗୁରୁତ୍ୱ ଉପରେ ଆଲୋକପାତ କରି ୟୁଏସ୍-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମର ଅଧ୍ୟକ୍ଷ ଜନ୍ ଚାମ୍ବର୍ସ ମନ୍ତବ୍ୟ ଦେଇଛନ୍ତି, ‘‘ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଭାରତ କେବଳ ଚୀନକୁ ଅତିକ୍ରମ କରିବ ନାହିଁ, ବରଂ ଜିଡିପି ଦୃଷ୍ଟିରୁ 100 ପ୍ରତିଶତ ବଡ ହେବ।’’ ତାଙ୍କର ଆଶାବାଦରେ ଉପର ଠାଉରିଆ ଭବିଷ୍ୟବାଣୀ ଉପରେ ଆଧାରିତ ନୁହେଁ, ବରଂ ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ବାସ୍ତବ ପ୍ରଗତି, ପରିବର୍ତ୍ତନଶୀଳ ନୀତି ଏବଂ ସଂସ୍କାର ଉପରେ ଆଧାରିତ । ଏସବୁ ପଦକ୍ଷେପ ଭାରତର ଆର୍ଥିକ ପରିଦୃଶ୍ୟକୁ ନୂଆ ଆକାର ଦେଉଛି । ଏହା ଦେଶର ଅସାଧାରଣ ଅଭିବୃଦ୍ଧି ଏବଂ ବିଶ୍ୱ ସ୍ତରରେ ଏହାର ଭବିଷ୍ୟତ ସମ୍ଭାବନା ଉପରେ ଆଲୋଚନାକୁ କେନ୍ଦ୍ରିତ କରିଛି।
ଚାମ୍ବର୍ସ କେବଳ ସୁଦୂର ଭବିଷ୍ୟତରେ ଅଟକି ନଥିଲେ। ପୂର୍ବରୁ ଯେଉଁ ମୂଳଦୁଆ ପଡ଼ିଛି, ସେହି ବିଷୟ ଉପରେ ସେ ଆଲୋକପାତ କରିଥିଲେ ଏବଂ ଭାରତ ସରକାରଙ୍କୁ ଏହାର ଶ୍ରେୟ ପ୍ରଦାନ କରିଥିଲେ। ସେ କହିଥିଲେ, ଗୋଟିଏ ଦଶନ୍ଧି ପାଇଁ ମଞ୍ଚ ପ୍ରସ୍ତୁତ କରିବାରେ ସରକାର ଅଭୂତପୂର୍ବ କାର୍ଯ୍ୟ କରିଛନ୍ତି ବୋଲି ସେ କହିଥିଲେ। ଭାରତର ଦ୍ରୁତ ଅଭିବୃଦ୍ଧି ଓ ଅତୁଳନୀୟ ଆର୍ଥିକ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେ ଏହି ମନ୍ତବ୍ୟ ଦେଇଛନ୍ତି। ବିଶ୍ୱ ବ୍ୟାଙ୍କର ଭାରତ ବିକାଶ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ଜିଡିପି ୭ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି, ଯାହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଦେଶର ସ୍ଥିତିକୁ ଦର୍ଶାଉଛି। ଏହି ଅଭିବୃଦ୍ଧିର ଧାରା ସ୍ଥିର ରହିଛି। ୨୦୨୨-୨୩ରେ ଏହା ୭.୦%ରୁ ବୃଦ୍ଧି ପାଇ ୨୦୨୪-୨୫ରେ ୮.୨%ରେ ପହଞ୍ଚିଛି ।
ଏହି ସଂଖ୍ୟା ଭାରତୀୟ ଅର୍ଥବ୍ୟବସ୍ଥାର ଦୃଢ଼ତାକୁ ଦର୍ଶାଇବା ସହିତ ଏକ ସୁଚିନ୍ତିତ ରଣନୀତିର ଭଲ ପରିଣାମ ବିଷୟରେ ପ୍ରମାଣ ଦେଇଛି। ଭାରତର ଦ୍ରୁତ ଅଭିବୃଦ୍ଧି ବିପରୀତ ଚୀନର ଆର୍ଥିକ ଧାରା ନିମ୍ନଗାମୀ ହେଉଥିବା ଦେଖିବାକୁ ମିଳିଛି। ୨୦୨୪ରେ ଚୀନର ଜିଡିପି ବୃଦ୍ଧି ହାର ୪.୫% ରହିବା ନେଇ ବିଶ୍ୱବ୍ୟାଙ୍କ ଆକଳନ କରିଥିବା ବେଳେ ୨୦୨୫ରେ ଏହା ୪.୩%କୁ ହ୍ରାସ ପାଇବ।