କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ କରିଥିବା ପୋଷ୍ଟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ବିବାଦ ପରେ ତୁରନ୍ତ ପୋଷ୍ଟ ହଟାଇଥିବା କହିଛନ୍ତି ବୁଦ୍ଧାଦିତ୍ୟ । ଭୁଲବଶତଃ ଏଭଳି ପୋଷ୍ଟ କରିଥିବା ସେ କହିଛନ୍ତି । ସମଗ୍ର କଂଗ୍ରେସ ପରିବାର ଓ ରାହୁଲ ଗାନ୍ଧୀଙ୍କୁ ବୁଦ୍ଧାଦିତ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି । ଏଭଳି ଭୁଲ ନହେବା ପାଇଁ ଆଗକୁ ସତର୍କ ରହିବି ବୋଲି କହିଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି ।
ସୁଚନାଯୋଗ୍ୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ କ୍ୟାପିଟାଲ ଥାନାରେ ଛାତ୍ର କଂଗ୍ରେସ ପକ୍ଷରୁ ଏତଲା ଦିଆଯାଇଥିଲା । ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ ଛାତ୍ର କଂଗ୍ରେସ ଅଭିଯୋଗ କରିଥିଲା । ଏହି ଭଅିଯୋଗକୁ ପୁଲିସ ଗ୍ରହଣ କରିବା ସହ ଘଟଣାର ତଦନ୍ତ କରୁଛି । ଅଭିଯୋଗ ଅନୁସାରେ ଅଭିନେତା ବୁଦ୍ଧାଦିତ୍ୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟର ଲରେନ୍ସ ବଷ୍ଣୋଇଙ୍କ ଫଟୋ ସହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଲରେନ୍ସଙ୍କ ଫଟୋ ପୋଷ୍ଟ କରି ରାହୁଲ ପରବର୍ତୀ ଟାର୍ଗେଟ ବୋଲି ବୁଦ୍ଧାଦିତ୍ୟ ଲୋଖିଥିବା ଅଭିଯୋଗରେ ଛାତ୍ର କଂଗ୍ରେସ ପକ୍ଷରୁ ଦର୍ଶାଯାଇଥିଲା । ଏନେଇ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଥିଲେ ଯେ ବୁଦ୍ଧାଦିତ୍ୟ ଉକ୍ତ ପୋଷ୍ଟକୁ ଡ଼ିଲିଟ କରିଛନ୍ତି ।ଯେଉଁଭଳି ସେ ଭୁଲ ପୋଷ୍ଟ କରିଥିଲେ ସେଭଳି ସାମାଜିକ ଗଣମାଧ୍ୟମରେ କ୍ଷମା ମାଗନ୍ତୁ । ନଚେତ ଆଗାମୀ ଦିନରେ ତାଙ୍କୁ ବାଟ ଚଲାଇ ଦେବୁ ନାହିଁ । କାଳି ମାଡ଼ କରିବୁ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଥିଲେ ।