ଆଜିଠୁ ଆରମ୍ଭ ହୋଇଛି ମହା କାର୍ତ୍ତିକ ବ୍ରତ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତିକ ମାସ ହେଉଛି ପୁଶ୍ୟର ମାସ । ଏଥିପାଇଁ ସବୁ ମାସ ମଧ୍ୟରେ ଶ୍ରେଷ୍ଠ ମାସ ହେଉଥିବାରୁ ଏକମାସ ଧରି ହବିଷ୍ୟଳିମାନେ ପାଳନ କରନ୍ତି ପବିତ୍ର ମହାକାର୍ତିକ ବ୍ରତ । ହଜାର ହଜାର ହବିଷ୍ୟାଳିଙ୍କ ସମାଗମରେ ପୁରୀ ସହର ଏବେ ଲୋକାରଣ୍ୟ ହୋଇପଡ଼ିଛି । ତେବେ ହବିଷ୍ୟଳିମାନେ ନିଜ ପରିବାର ପରିଜନକୁ ଛାଡ଼ି ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ।
ଏଠି ରହି ମାସସାରା ମହାପ୍ରଭୁଙ୍କୁ ଦର୍ଶନ କରି ହବିଷ୍ୟ ବ୍ରତ କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ସକାଳୁ ଉଠି ବିଭିନ୍ନ ତୀର୍ଥ ପୁଷ୍କରିଣରେ ସ୍ନାନ କରିବା ପରେ ସଂକଳ୍ପ କରି ଆରମ୍ଭ କରିଛନ୍ତି କାର୍ତିକ ବ୍ରତ ଏହା ସହ ବାଲୁକା ପୂଜା କରିଛନ୍ତି । ଏଥିସହିତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାନଦାମୋଦର ବେଶ ଦର୍ଶନ କରି ପାଳନ କରୁଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସହ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ତେବେ ପଞ୍ଚତୀର୍ଥ ଓ ମହୋଦଧିରେ ସ୍ନାନ ପରେ ତୁଳସୀ ଚଉରା ଓ ଅଂଳା ଗଛ ମୂଳରେ ମୁରୁଜ ଚିତା ପକାଇ କରାଯାଉଛି ରାଇ ଦାମୋଦର ପୂଜା।
ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକବ୍ରତ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ମାସକ ଜାକ ହବିଷାନ୍ନ ଖାଇ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି । ମାସକଯାକ ପ୍ରତିଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ରାଧାଦାମୋଦର ବେଶ ଦର୍ଶନ କରି ମହାପ୍ରସାଦ ଖାଇବା ପାଇଁ ହବିଷ୍ୟାଳିଙ୍କର ଅହେତୁକ ଭିଡ ପରିଲକ୍ଷିତ ହୋଇଥାଏ । ଶ୍ରୀମନ୍ଦିରରେ ପ୍ରତିଦିନ ରାତ୍ର ୨ଟାରେ ଦ୍ୱାର ଫିଟାଯାଇ ମଙ୍ଗଳଆରତୀ ହେବା ପରେ ରାଧାଦାମୋଦର ବେଶ ଓ ବାଳଧୂପ ନୀତି କରାଯିବାକୁ ନୀତି ନିର୍ଘଣ୍ଟ କରାଯାଇଛି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ହବିଷ୍ୟାଳିଙ୍କ ରହଣୀସ୍ଥଳରେ ମଧ୍ୟ ବେଶ ଭିଡ ଜମିଛି ହବିଷ୍ୟାଳି ବ୍ରତଧାରୀଙ୍କର । ଚଳିତ ବର୍ଷ ୨୫୦୦ରୁ ଅଧିକ ହବିଷ୍ୟାଳିଙ୍କ ମାଗଣାରେ ରହିବା ପାଇଁ ପୁରୀର ୪ଟି ଜାଗାରେ ବ୍ୟବସ୍ଥା କରାଯାଇଛି । ଏହା ସହ ହବିଷ୍ୟାଳିମାନଙ୍କ ପାଇଁ ରହିବା, ମହାପ୍ରସାଦ ଖାଇବା, ଗରମ ପାଣିର ସୁବିଧା, ମନ୍ଦିର ଯାତାୟତ ପାଇଁ ବସର ସୁବିଧା, ଡାକ୍ତରୀ ସେବା, ଗରମପାଣୀ , ଚା , ପାନୀୟ ,ଭୋଜନ ବ୍ୟବସ୍ଥା କରାଯାଇଛି ।