ମଦ୍ରାସା ବୋର୍ଡ଼କୁ ବନ୍ଦ କରାଯାଉ । ରାଜ୍ୟ ସରକାର ମଦ୍ରାସାକୁ ଦେଉଥିବା ସମସ୍ତ ଅନୁଦାନ ବନ୍ଦ କରିଦିଅନ୍ତୁ । ଏନସିପିଆର ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏହି ଚିଠି କରିବା ପରେ ତେଜିଛି ବିବାଦ । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ବାହାରେ ତମ୍ବି ତୋଫାନ ହୋଇଥିବାବେଳେ ଓଡ଼ିଶାରେ ବି ଆରମ୍ଭ ହୋଇଯାଇଛି ରାଜନୀତି ।
ଏନସିପିଆରର ଏଭଳି ସୁପାରିଶକୁ ଉଭୟ କଂଗ୍ରେସ ଓ ବିଜେଡ଼ି ବିରୋଧ କରିବା ସହ ପରୋକ୍ଷରେ ବିଜେପି ସରକାର ଉପରେ ବର୍ଷିଛନ୍ତି । ରାଜନୈତିକ ଏଜେଣ୍ଡା ପାଇଁ ଶିକ୍ଷା ବ୍ୟବସ୍ଥାକୁ ବଳି ନପକାଯାଉ ବୋଲି କଂଗ୍ରେସ କହିଛି । ଏହି ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇବେ ବୋଲି କହିଛନ୍ତି ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ । ଅନ୍ୟପଟେ ବିଜେଡ଼ି ଓ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛି ବଜେପି । ବିଜେଡ଼ି ସରକାର ସମୟରେ ରାଜ୍ୟର ମଦ୍ରାସାରେ ଅନେକ ଅନିୟମିତତା ହୋଇଥିଲା ବୋଲି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଅଭିଯୋଗ ଆଣିଛି ।
ରାଜ୍ୟରେ ମଦ୍ରାସା ବୋର୍ଡ ଦ୍ୱାରା ୧୫୫ ଟି ମଦ୍ରାସା ବିଦ୍ୟାଳୟ ପରିଚାଳିତ ହେଉଛି । ଏହିସବୁ ବିଦ୍ୟାଳୟରେ ୧୦ ହଜାର ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ଶିକ୍ଷାନୁଷ୍ଠାନରେ ପାଠ ପଢାଇବାରେ ନିୟୋଜିତ ଅଛନ୍ତି ୮୦୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ । ରାଜ୍ୟ ସରକାର କେବଳ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମା ବାବଦକୁ ଟଙ୍କା ଦେଉଥିବାବେଳେ ଅନ୍ୟ ସମସ୍ତ ଖର୍ଚ୍ଚ ବ୍ୟକ୍ତିଗତ ସ୍ତରରେ ଆଦାୟ କରାଯାଇ ବିଦ୍ୟାଳୟର ଖର୍ଚ୍ଚ ବହନ କରାଯାଏ ବୋଲି କହିଛି ଓଡିଶା ଉର୍ଦ୍ଦୁ ସର୍କଲ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଓଡିଶା ଉର୍ଦ୍ଦୁ ସର୍କଲର ସଂପାଦକ ସୈଏଦ ବର୍କତ ଅଲ୍ଲୀ ତନଓ୍ୱିର ।
ମଦ୍ରାସାରେ ଶିକ୍ଷା ଅଧିକାର ଆଇନକୁ ଉଲଂଘନ କରାଯାଉଛି ଓ ଦକ୍ଷ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କର ଶିକ୍ଷାର ମାନ କମୁଛି ବୋଲି ଏନସିପିସିଆର ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। ଆଉ ଅନୁଦାନ ବନ୍ଦ କରିବାକୁ କହିଛି। ତେବେ ଏନସିପିସିଆରର ଚିଠି ପରେ ମଦ୍ରାସାର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।