ହରିୟାଣାରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ମହାରାଷ୍ଟ୍ର ନିର୍ବାଚନ ରାହୁଲଙ୍କ ପାଇଁ ଚ୍ୟାଲେଂଜ ହେବ । ହରିୟାଣା ଏବଂ ଜମ୍ମୁ ଓ କଶ୍ମୀର ନିର୍ବାଚନ ସରିବା ପରେ ଏବେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ।
ମହାରାଷ୍ଟ୍ର ରାଜ୍ୟର ମୋଟ ଆସନ ସଂଖ୍ୟା ୨୮୮ । ନଭେମ୍ବର ୨୦ରେ ଭୋଟ ଗ୍ରହଣ ହେବ । ନଭେମ୍ବର ୨୩ରେ ଗଣତି ହେବ ବୋଲି କହିଛନ୍ତି ନିର୍ବାଚନ କମିଶନର । ଝାଡ଼ଖଣ୍ଡରେ ୧୩ ନଭେମ୍ବର ଓ ୨୦ ନଭେମ୍ବରରେ ମତଦାନ ହେବ ଓ ନଭେମ୍ବର ୨୩ରେ ଗଣତି ହେବ । ଏହି ନିର୍ବାଚନ ପାଇଁ ଅକ୍ଟୋବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ମନୋନୟନପତ୍ର ଦାଖଲର ଶେଷ ତାରିଖ ହେଉଛି ୨୯ ଅକ୍ଟୋବର ।
ମହାରାଷ୍ଟ୍ରରେ ୫୨,୭୮୯ଟି ସ୍ଥାନରେ ୧୦୦୧୮୬ଟି ମତଦାନ କେନ୍ଦ୍ର ରହିଛି । ରାଜ୍ୟର ମୋଟ ଆସନ ସଂଖ୍ୟା ୨୮୮ ଥିବାବେଳେ ମୋଟ ଭୋଟର ସଂଖ୍ୟା ୯.୬୩ କୋଟି ରହିଛି । ସେହିପରି ଝାଡ଼ଖଣ୍ଡରେ ୮୧ ଟି ଆସନ ଥିବାବେଳେ ମୋଟ ୨.୬ କୋଟି ଭୋଟର ଅଛନନ୍ତି ।
ଜମ୍ମୁ ଓ କଶ୍ମୀର ଏବଂ ହରିୟାଣା ନିର୍ବାଚନକୁ ନେଇ ନିର୍ବାଚନ କମିଶନର କହିଛନ୍ତି ଆଗାମୀ ନିର୍ବାଚନ ହିଂସାକୁ ପ୍ରଶୟ ଦିଆଯିବ ନାହିଁ । ପୂର୍ବ ଦୁଇଟି ନିର୍ବାଚନରେ କୌଣସି ହିଂସା ବିନା ଶେଷ ହୋଇଛି । ଭାରତ ପ୍ରତ୍ୟେକ ନିର୍ବାଚନରେ ଏକ ନୂଆ ମାନଦଣ୍ଡ ସ୍ଥାପିତ କରୁଛି। ଜମ୍ମୁ-କଶ୍ମୀର ଓ ହରିୟାଣାରେ ଗୋଟିଏ ବି ଲାଠି ମାଡ଼ ହୋଇନାହିଁ, ଗୋଟିଏ ବି ଗୁଳି ମାଡ଼ ହୋଇନାହିଁ।
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନର ହିଂସା ନହେବା ଉପରେ ଗୁରୁତ୍ବ ଦେଇଛନ୍ତି । ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ପ୍ରେସ୍ କନ୍ଫରେନ୍ସରେ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । କହିବାକୁ ଗଲେ ଦୁଇଟି ରାଜ୍ୟରେ ନଭେମ୍ବର ୨୩ରେ ଭୋଟ ଗଣତି ହେବ । ମହାରାଷ୍ଟ୍ରରେ ଶିବସେନା ବିଜେପି ମେଂଟ ସରକାର ଚାଲିଥିବା ବେଳେ ଆଗାମୀ ଦିନରେ କିଏ ସରକାର ଗଢ଼ିବ ତାକୁ ନେଇ ଜୋରଦାର ଚର୍ଚା ହେଉଛି । ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ମେଂଟ ସରକାର ଚଳାଉଛି । କୁହାଯାଉଛି ଏଥର ବିଜେପି ଏଠାରେ ପ୍ରତ୍ୟାବର୍ତ୍ତନ କରିବ ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ତାରିଖ ଘୋଷଣା କରିବା କ୍ଷଣି ମହାରାଷ୍ଟ୍ର ଓ ଝାରଖଣ୍ଡରେ ନିର୍ବାଚନ ଆଚରଣବିଧି ଲାଗୁ ହେଇଛି।
ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ଜୋରଦେଇଛନ୍ତି ନିର୍ବାଚନ କମିଶନର। ଏଥିପାଇଁ ୨୨ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲ ପ୍ରକ୍ରିୟା ଅକ୍ଟୋବର ୨୯ ଯାଏ ଚାଲିବ। ମହାରାଷ୍ଟ୍ରରେ ୧,୦୦,୧୮୬ ପୋଲିଂ ଷ୍ଟେସନ ହେବ। ୯ କୋଟିରୁ ଅଧିକ ଲୋକ ଏଠାରେ ମତାଧିକାର ସାବ୍ୟସ୍ତ କରିବେ। ଏହି ପୋଲିଂ ଷ୍ଟେସନଗୁଡ଼ିକ ମୋଟ ୫୨,୭୮୬ଟି ସ୍ଥାନରେ ତିଆରି କରାଯିବ।
ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବାକୁ ଥିବାବେଳେ ଆଗାମୀ ନିର୍ବାଚନରେ ଭୋଟର କାହାକୁ ସରକାର ଗଠନ ପାଇଁ ଭୋଟ ଦେବେ ତାକୁ ଅପେକ୍ଷା ରହିଛି । ପ୍ରଥମେ ନଭେମ୍ବର ୧୩ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ନଭେମ୍ବର ୨୦ ରେ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ରେଜଲ୍ଟ ବାହାରିବ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୫ ତାରିଖ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୯ ରହିଛି।
ଝାଡ଼ଖଣ୍ଡର ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୨.୬ କୋଟି। ଏମାନଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧.୩୧ କୋଟି ଓ ମହିଳା ଭୋଟରଙ୍କ ସଂଖ୍ୟା ୧.୨୯ କୋଟି। ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି।
ମହାରାଷ୍ଟ୍ରରେ ନଭେମ୍ବର ୨୬ ଓ ଝାଡ଼ଖଣ୍ଡରେ ଜାନୁଆରୀ ୫ରେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବ। ଏବେ ମହାରାଷ୍ଟ୍ରରେ ବିଜେପି-ଶିବସେନା-ଏନସିପି ସରକାର ରହିଛନ୍ତି। ୨୦୧୯ରେ ବିଜେପି ୧୦୫, କଂଗ୍ରେସ ୪୪, ଶିବସେନା ୫୬, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ବାଜିମାତ କରିଥିଲେ।
ଅନ୍ୟପକ୍ଷରେ ଏବେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ଜେଏମଏମ ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଛନ୍ତି।୨୦୧୯ରେ ଝାଡ଼ଖଣ୍ଡରେ ଜେଏମଏମ ୩୯ଟି, ବିଜେପି ୨୫ଟି, କଂଗ୍ରେସ ୧୬ ଓ ଅନ୍ୟାନ୍ୟ ଦଳ ୧୦ଟି ଆସନ ଜିତିଥିଲେ।