ରବିବାର ଦୁର୍ଗାମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ରାମ ଗୋପାଳ ମିଶ୍ରଙ୍କୁ ହତ୍ୟା କରାଯାଇଥିଲା । ଏନେଇ ବହରାଇଚରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣା ପରେ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବହରାଇଚ ମୃତକଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାମ ଗୋପାଳଙ୍କ ପରିବାର ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଛନ୍ତି । ଘଟଣା ଦିନ ଶୋଭାଯାତ୍ରା ଚାଲିଥିବା ବେଳେ ହିନ୍ଦୁଙ୍କ ଉପରକୁ ମୁସଲିମ ଗୋଷ୍ଠୀ ପ୍ରଥମ ପଥର ମାଡ଼ କରିବା ପରେ ରାମଗୋପାଳଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।। ସଲମାନ ନାମକ ଜଣେ ବ୍ୟକ୍ତିଙ୍କ ଘର ଓ ଦୋକାନରୁ ଶୋଭାଯାତ୍ରା ଉପରକୁ ଗୁଳି ଚାଳନା ହୋଇଥିବାର ପ୍ରମାଣ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏହାବ୍ୟତୀତ ଏହି ସଂଘର୍ଷ ଘଟଣାରେ ଅନ୍ୟ ୧୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।
କୁହାଯାଉଛି ଶୋଭାଯାତ୍ରା ସମୟରେ ସଙ୍ଗୀତ ବଜାଇବାକୁ ନେଇ ଏହି ହିଂସାକାଣ୍ଡ ଘଟିଥିଲା, ଯେଉଁଥିରେ ଜଣେ ୨୨ ବର୍ଷୀୟ ଯୁବକ ରାମ ଗୋପାଳଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ।
ବହରାଇଚର ମହସୀ ସବ୍ ଡିଭିଜନ ଦେଇ ଯାଉଥିବା ଏହି ଶୋଭାଯାତ୍ରା ଉପରକୁ ପଥର ଫିଙ୍ଗିବା ସହ ଗୁଳି ମାଡ଼ କରାଯିବା ପରେ ହିଂସା ଓ ଉତ୍ତେଜନା ବୃଦ୍ଧି ପାଇଥିଲା। ସଂଘର୍ଷ ପରେ ଜିଲ୍ଲା ପ୍ରଶାସନ ମହସୀରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଥିଲା। ଦୁର୍ବୃତ୍ତମାନେ ଲକ୍ଷ୍ନୌ ସେବା ହସ୍ପିଟାଲରେ ନିଆଁ ଲଗାଇ ଦେଇଥିଲେ। ଏହାଦ୍ବାରା ଭିତରେ ଥିବା ଏକ୍ସ-ରେ ମେସିନ୍ ନଷ୍ଟ ହେବା ସହ ବେଡ୍ ଓ ଝରକା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କିଛି ଲୋକ ନିକଟରେ ଥିବା ଏକ ମେଡ଼ିକାଲ ଷ୍ଟୋରରେ ନିଆଁ ଲଗାଇ ଦେବା ଫଳରେ ଦୋକାନଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଅଗ୍ନିକାଣ୍ଡରେ ଏକ ମୋଟର ସାଇକେଲ ସୋ’ରୁମ୍ରେ ନିଆଁ ଲାଗିଯିବା ସହ ନୂଆ ମୋଟର ସାଇକେଲଗୁଡ଼ିକ ମଧ୍ୟ ଜଳି ଯାଇଛି।
ଯେଉଁ ୧୦ ଜଣଙ୍କ ନାମରେ ମାମଲା ଦାଖଲ ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି- ଅବଦୁଲ ହମିଦ, ସରଫରାଜ, ଫହିମ, ସାହିର ଖାନ, ନାନକାଉ ଓ ମାର୍ଫ ଅଲି ଏବଂ ବାକି ୪ ଜଣଙ୍କ ପରିଚୟ ମିଳିପାରିନାହିଁ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଡାକିଛନ୍ତି।