ପୁରୀରେ ମହାପ୍ରଭୁଙ୍କୁ ମନ୍ଦିର ଭିତରେ ଦର୍ଶନ କରିବା ବେଳେ ଭକ୍ତମାନେ ଅନେକ ଯନ୍ତ୍ରଣା ସହିଥାନ୍ତି । ଏବେ ରାଜ୍ୟ ସରକାର ଏହି ଯନ୍ତ୍ରଣା କମାଇବା ପାଇଁ ସୃଙ୍ଖଳିତ ଦର୍ଶନ କରିବାକୁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ଏହା ସହିତ ମହାପ୍ରଭୁଙ୍କ ମହାପ୍ରସାଦ ଭକ୍ତମାନଙ୍କୁ ମାଗଣାରେ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।
ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଏଣିକି ଭକ୍ତମାନେ ସୃଙ୍ଖଳିତ ଦର୍ଶନ କରିପାରିବେ । ଅଭଡ଼ା ପାଇଁ ଶ୍ରୀମନ୍ଦିରରୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ରୁ ୧୫କୋଟି ଟଙ୍କା ଖର୍ଚ୍ଚ ହେବ। ଆମେ ଭକ୍ତ ସମାଜ ଭିତରେ ସମସ୍ତଙ୍କୁ ଅନୁରୋଧ କରିଛୁ। ଏହାରି ଭିତରେ ଅନେକ ଭକ୍ତ ଆସି ସହଯୋଗର ହାତ ବି ବଢ଼ାଇଛନ୍ତି। ସରକାରଙ୍କ ଉପରେ ଚାପ ନ ପକାଇ ଯେଉଁ ବଦାନ୍ୟ ଭକ୍ତମାନେ ଅଛନ୍ତି ସେମାନଙ୍କ ସହଯୋଗରେ ଅଭଡ଼ା ବଣ୍ଟା ଯିବ ।
ଭକ୍ତମାନେ ଦର୍ଶନ ସାରି ଘରକୁ ଫେରିବା ସମୟରେ, ପରିବାର ଓ ପଡ଼ୋଶୀ ମହାପ୍ରସାଦ ଲାଗି ଅପେକ୍ଷା କରି ରହିଥାନ୍ତି। ଭକ୍ତ ଜଣଙ୍କ ମହାପ୍ରସାଦ ଟିକେ ତାଙ୍କ ହାତରେ ଦେଇପାରିବ। ଏହାକୁ ଆଖି ଆଗରେ ରଖି ଏହି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ସରକାର । ଏହା ସହ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଶୃଙ୍ଖଳିତ ଦର୍ଶନ ପାଇଁ ବହୁ ଦିନରୁ ଦାବି ହେଉଛି । ଏ ଦିଗରେ ଅନେକ ଆଲୋଚନା ହୋଇଛି । ଏବେ ସରକାର ଏହାର ଡିଜାଇନ ଆରମ୍ଭ କରିଛନ୍ତି ।
ଦର୍ଶନ କରିବା ପାଇଁ ଭକ୍ତ ସାତ ପାହାଚଠୁ ସିଧା ଯାଇ ଘଣ୍ଟି ଦ୍ୱାର ପଟେ ବାହାରିବେ। ସେଭଳି ଏକ ବ୍ୟବସ୍ଥା କରାଯାଉଛି। ଏହି ବ୍ୟବସ୍ଥା ହୋଇସାରିବା ପରେ ଭକ୍ତମାନଙ୍କ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ ଏବଂ ସମସ୍ତେ ଭଲ ଭାବରେ ପ୍ରଭୁଙ୍କ ଦର୍ଶନ ସାରି ମନ୍ଦିରରୁ ବାହାରିବେ। ଏହାକୁ ଆଖି ଆଗରେ ରଖି ଯୋଜନା ଆରମ୍ଭ କରୁଛୁ। ତେବେ ଏହି ଯୋଜନା କେତେ ସଫଳ ହେବ ତାହାକୁ ଅପେକ୍ଷା କରିବାକୁ ପଡ଼ିବ ।
ମୁଖ୍ୟ ପ୍ରଶାସକ, ଜିଲ୍ଲପାଳଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ଏ ନେଇ ଧ୍ୟାନ ଦେଉଛନ୍ତି। କାର୍ତ୍ତିକ ମାସ ପରେ, ଶୃଙ୍ଖଳିତ ଦର୍ଶନ ପ୍ରକ୍ରିୟା ଆମେ ଆରମ୍ଭ କରିବୁ। ହବିଷ୍ୟାଳିଙ୍କ ଦର୍ଶନ ସାରି ଘରକୁ ଫେରିବେ ତାହାର ଦାଇତ୍ୱ ସରକାର ନେବେ। କୌଣସି ସମସ୍ୟା ହେଲେ ତାର ସମାଧାନ ହେବ ଏନେଇ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି। ଆଗାମୀ ଦିନରେ ମନ୍ଦିର ଭିତରେ ଶୃଙ୍ଖଳାକୁ ଗୁରୁତ୍ବ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।