ବାୟୁ ପ୍ରଦୂଷଣ ଦିଲ୍ଲୀ ପାଇଁ ବିପଦ । ଏହାକୁ କମାଇବା ପାଇଁ ପ୍ରତିବର୍ଷ ନିଆଯାଉଥିବା ପଦକ୍ଷେପ କିଛି ପ୍ରଭାବ ପଡ଼ୁନାହିଁ । ଶୀତ ଋତୁରେ ଏହା ବଢ଼ି ବଢ଼ି ଚାଲିଥାଏ ।
କ୍ରମାଗତ ଭାବେ ବାୟୁର ଗୁଣବତ୍ତା ହ୍ରାସ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ପ୍ରଚଳିତ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଉଭୟ ସଡ଼କ ଓ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି ଧୂଳି ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିବା ର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଜୋର୍ ଦେଇ କହିଥିଲେ।
ଧୂଳି ଉତ୍ପାଦନକୁ ରୋକିବା ପାଇଁ ରାସ୍ତାର କେନ୍ଦ୍ର ସ୍ଥଳୀରେ ସବୁଜିମା ସୃଷ୍ଟି କରିବା ଏବଂ ରାସ୍ତା ଘାଟ, ରାସ୍ତା କଡ଼ରେ ଖୋଲା ସ୍ଥାନକୁ ସ୍ୱଚ୍ଛ/ ସବୁଜ କରିବା ପାଇଁ ମିଶନ ମୋଡ୍ ଆଭିମୁଖ୍ୟ ଗ୍ରହଣ କରିବାକୁ ଡ. ମିଶ୍ର ପରାମର୍ଶ ଦେଇଥିଲେ ।
ବିଶେଷ କରି ଉଚ୍ଚ ପ୍ରଦୂଷଣ ସ୍ଥାନ ଏବଂ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି) ଅଧୀନରେ ଯାନ୍ତ୍ରିକ ରାସ୍ତା ସଫେଇ, ପର୍ଯ୍ୟାପ୍ତ ସଂଖ୍ୟକ ସ୍ମଗ୍ ନିରୋଧୀ ଗନ୍ ମୁତୟନ ଏବଂ ନିୟମିତ ପାଣି ସିଞ୍ଚନକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ନିର୍ମାଣ ଓ ଉଚ୍ଛେଦ ସ୍ଥଳରେ ଧୂଳି ନିୟନ୍ତ୍ରଣ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଏବଂ ରାସ୍ତାରେ ଧୂଳି ପ୍ରଦୂଷଣ ରୋକିବା ଭଳି ନିର୍ମାଣ ସାମଗ୍ରୀ ଓ ଆବର୍ଜନା ପରିବହନ ସୁନିଶ୍ଚିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ହ୍ରାସ ପାଇଁ ଉଭୟ ତତ୍କାଳ ଏବଂ ଦୀର୍ଘମିଆଦୀ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଦିଲ୍ଲୀ ସରକାର ଏବଂ ଅନ୍ୟ ଅଂଶୀଦାରଙ୍କ ପ୍ରସ୍ତୁତିର ଆକଳନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଟାସ୍କଫୋର୍ସ ସାମ୍ପ୍ରତିକ ରଣନୀତିର ସମୀକ୍ଷା କରିବା ସହ ପ୍ରଦୂଷଣ ଆହ୍ୱାନର ମୁକାବିଲା ପାଇଁ ଅତିରିକ୍ତ ଅଭିନବ ପଦକ୍ଷେପ ଉପରେ ଆଲୋଚନା କରିଥିଲେ।
ଦିଲ୍ଲୀର ମୁଖ୍ୟ ଶାସନ ସଚିବ ୨୦୨୪ ପାଇଁ ସହରର ବାୟୁ ଗୁଣବତ୍ତା ପରିଚାଳନା ପଦକ୍ଷେପ ଉପରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ବିଶେଷକରି ଶୀତ ଋତୁରେ ପାଣିପାଗର ଗତିଶୂନ୍ୟ ସ୍ଥିତି ଯେତେବେଳେ ପରିସ୍ଥିତିକୁ ଖରାପ କରିଥାଏ, ସେତେବେଳେ ନିର୍ମାଣ ସମ୍ବନ୍ଧୀୟ ଧୂଳି, ଜୈବିକ ବର୍ଜ୍ୟ ସାମଗ୍ରୀ ବା ବାୟୋମାସ୍ ପୋଡ଼ିବା ଏବଂ ଯାନବାହନ ନିର୍ଗମନ ପ୍ରଦୂଷଣ ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ସେ ଆଲୋକପାତ କରିଥିଲେ। ଇଲେକ୍ଟ୍ରିକ୍ ବସ୍ ଯାତାୟାତ ବଢ଼ାଇବା ଏବଂ ଚାର୍ଜିଂ ଭିତ୍ତିଭୂମିର ସମ୍ପ୍ରସାରଣ, ଯାନ୍ତ୍ରିକ ରାସ୍ତା ସଫେଇ, ଧୂଳି ନିୟନ୍ତ୍ରଣ ଏବଂ ବର୍ଜ୍ୟବସ୍ତୁ ଓ ବାୟୋମାସ୍ ପୋଡିବାକୁ ରୋକିବା ପାଇଁ ପ୍ରୟାସ ସମେତ ବର୍ତ୍ତମାନ ଜାରି ରହିଥିବା ଅନେକ ପଦକ୍ଷେପ ବିଷୟରେ ସେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ।