ଶାରଦୀୟ ଦୁର୍ଗାପୂଜାର ଶେଷ ଦିବସ ବିଜୟା ଦଶମୀ ଅବସରରେ ଭୁବନେଶ୍ବର, କଟକ, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଆୟୋଜନ ହୋଇଯାଇଛି। ରାଜଧାନୀର ୧୦ଟି ସ୍ଥାନରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଭୁବନେଶ୍ବରରେ ରାବଣ ପୋଡ଼ି ପାଇଁ ହଜାର ହଜାର ଲୋକ ସମାଗମ ହୋଇ ଏହାକୁ ଉପଭୋଗ କରିଥିଲେ । ୧୦ଟି ପୂଜା କମିଟି ରାବଣ ପୋଡ଼ି କରିବା ସହ ରଙ୍ଗବେରଙ୍ଗ ବାଣରେ ଝଲସି ଉଠିଥିଲା ଆକାଶ । ଝାରପଡ଼ା, ନହରକଣ୍ଟା, ଝାରପଡ଼ା, ବରମୁଣ୍ଡା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ୍, ଚନ୍ଦକା କ୍ଲବ ପଡିଆ, ସିମୁଳିପାଟଣା ଦୋଳ ଯାତ୍ରା ପଡ଼ିଆ ଓ କପିଳପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଛି। ଲୋକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।
ଦଶହରା ଅବସରରେ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କୁ ଦିନସାରା ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟାରେ ଦର୍ଶକମାନେ ରାବଣ ପୋଡ଼ିର ମନୋରମ ଦୃଶ୍ୟକୁ ଉପଭୋଗ କରିଥିଲେ। ବାଣ ଓ ଆତାସବାଜୀର ଶବ୍ଦକୁ ଆଖି ଆଗରେ ଦେଖି ଖୁସି ଅନୁଭବ କରିଛନ୍ତି। ମା’ଙ୍କ ଶାରଦୀୟ ପୂଜା ଶେଷ ହୋଇଥିବା ବେଳେ ଆଜି ଭସାଣି ଅନୁଷ୍ଠିତ ହେବ। ବିଭିନ୍ନ ସ୍ଥାନରେ ପୂଜା ଆୟୋଜକ ଓ ପ୍ରଶାସନର ସୁବିଧା ଅନୁସାରେ ମା’ଙ୍କର ଭସାଣ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।