କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ବକ୍ତବ୍ୟକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଶେଷ କରି ହରିୟାଣା ନିର୍ବାଚନ ପରେ କଂଗ୍ରେସର ନେତାମାନେ ବିଜେପି ଉପରେ ଅଧିକ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ସବୁଠୁ ବଳିଯାଇଛି ମଲ୍ଲିକାର୍ଜୁନଙ୍କ ବକ୍ତବ୍ୟ । ସେ ବିଜେପିକୁ ଆତଙ୍କବାଦୀ ଦଳ ବୋଲି କହିଛନ୍ତି। 12 ଅକ୍ଟୋବର 2024 ଖାର୍ଗେ ଯେପରି ବିଜେପି ଉପରେ ଆକ୍ରମଣ କରିଛନ୍ତି ତାହାକୁ ନେଇ ଏବେ ଚାରିଆଡେ ଆଲୋଚନା ହେଉଛି । ଖାର୍ଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସର୍ବଦା କଂଗ୍ରେସକୁ ସହରୀ ନକ୍ସଲ ଦଳ ବୋଲି କହିବାର ଅଭ୍ୟାସ ଅଛି, କିନ୍ତୁ ତାଙ୍କ ଦଳ କ’ଣ? ସେ କହିଛନ୍ତି ଯେ ବିଜେପି ହେଉଛି ଆତଙ୍କବାଦୀଙ୍କ ଏକ ଦଳ । ଏହି ଦଳ ମବ ଲିଞ୍ଚ ବା ଭିଡ ହତ୍ୟା କରୁଛି । ତେଣୁ ମୋଦିଙ୍କର ଏପରି ଅଭିଯୋଗ କରିବାର ଅଧିକାର ନାହିଁ । ଖାର୍ଗେ ଆହୁରି କହିଛନ୍ତି ଯେ “ଯେଉଁଠାରେ ବିଜେପି ସରକାର ଥାଆନ୍ତି, ଅନୁସୂଚିତ ଜାତି, ଜନଜାତିଙ୍କୁ ନିର୍ଯାତନା ଦିଆଯାଉଛି । ନିର୍ଦ୍ଧାରିତ ଜାତିର ଲୋକଙ୍କ ଉପରେ ଅପରାଧ ବଢ଼ିଯାଏ । ବିଜେପି ଏହାକୁ ସମର୍ଥନ କରେ । ଯେଉଁମାନେ ଏହା କରନ୍ତି ସେମାନଙ୍କୁ ବିଜେପି ନେତା ସମର୍ଥନ କରନ୍ତି | ସେମାନେ ଅନ୍ୟମାନଙ୍କୁ ଦୋଷ ଦିଅନ୍ତି | ସେମାନଙ୍କର ଏହା କରିବାର ଅଧିକାର ନାହିଁ। ” ତେବେ ଖାର୍ଗେ ଏପରି କହିବା ପୂର୍ବରୁ ମୋଦି କଂଗ୍ରେସ କୁ କଡ଼ା ସ୍ବରରେ ହରିୟାଣା ନିର୍ବାଚନ ପରେ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ 5 ଅକ୍ଟୋବର 2024 ରେ ମହାରାଷ୍ଟ୍ର ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ ସେ କଂଗ୍ରେସ ଏବଂ ଏହାର ନୀତି ଉପରେ କଡ଼ା ଆକ୍ରମଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସେତେବେଳେ କହିଥିଲେ, “କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କର କେବଳ ଗୋଟିଏ ମିଶନ ଅଛି – ହିନ୍ଦୁମାନଙ୍କ ମଧ୍ୟରେ ବିଭାଜନ କର ଏବଂ କ୍ଷମତାରେ ରୁହ। ସହରୀ ନକ୍ସଲ ଗ୍ୟାଙ୍ଗ ଦ୍ୱାରା କଂଗ୍ରେସ ପରିଚାଳିତ ହେଉଛି। ସେ ଦେଶ ବିରୋଧୀ ଦଳଙ୍କ ସହ ଛିଡା ହୋଇଛନ୍ତି। ” ସହରୀ ନକ୍ସଲଙ୍କୁ କଂଗ୍ରେସ ସହ ତୁଳନାକୁ ନେଇ ଜାତୀୟସ୍ତରରେ କଂଗ୍ରେସ ବିଜେପି ଉପରେ ଟାର୍ଗେଟ କରିଥିଲା । ଯାହାକୁ ନେଇ ଖାର୍ଗେ ବିଜେପିକୁ ଆତଙ୍କବାଦୀଙ୍କ ସହ ତୁଳନା କରିଛନ୍ତି ।
ଏହା ସହ ଖାର୍ଗେ ଆରଏସଏସକୁ ମଧ୍ୟ ସମାଲୋଚନା କରିଛନ୍ତି । ସେ ସଂଗଠନର ମୁଖ୍ୟ ମୋହନ ଭଗବତଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି । ମଲ୍ଲିକାର୍ଜୁନ୍ ଖାର୍ଗେ କହିଛନ୍ତି, “ଯେଉଁ ଦଳର ଉଦ୍ଦେଶ୍ୟ ହେଉଛି ଦେଶକୁ ବିଭାଜନ କରିବା ସେହି ଦଳର ସମର୍ଥକ ଦେଶରେ ଅଛନ୍ତି। ସେହି ସଂଘର ମୁଖ୍ୟ ହେଉଛନ୍ତି ଭାଗବତ। ସମ୍ବିଧାନ ବଦଳାଇବା ହେଉ, ସଂରକ୍ଷଣ କଥା ହେଉ, ଏମାନେ ହେଉଛନ୍ତି ହିନ୍ଦୁ ଏବଂ ମୁସଲମାନମାନଙ୍କୁ ପୃଥକ କରିବା ବିଷୟରେ କହୁଛନ୍ତି ଏବଂ ଅନ୍ୟ ଲୋକଙ୍କ ନିକଟରେ ନିଜର ଜ୍ଞାନ ବାଣ୍ଟୁଛନ୍ତି। ”
ଖାର୍ଗେ ଏଭଳି କହିବାର କାରଣ ହେଉଛି ଆରଏସଏସ ମୁଖ୍ୟ ଦେଶ ବିଭାଜନକୁ ନେଇ ବିଜୟାଦଶମୀ ଦିନ ଗୋଟିଏ କଥା କହିଥିଲେ । ଡ.ମୋହନ ଭାଗବତ କହିଥିଲେ ବିନା କାରଣରେ ଦେଶ ବିଭାଜନ କରିବାକୁ ଷଡଯନ୍ତ୍ର ହୋଇଥିଲା । ଏଥିରେ ଦେଶ ଫସିଯାଇ ବିଭାଜନ ହୋଇଥିବା ସେ ଅଭିଯୋଗ କରିଥିଲେ। ଏହି ବିବୃତ୍ତି କଂଗ୍ରେସକୁ ବାଧିଥିଲା । ତେଣୁ ଖାର୍ଗେ ଭାଗବତଙ୍କୁ ଉତ୍ତର ଦେଇ ଏପରି କହିଥିବା କୁହାଯାଉଛି ।
ନାଗପୁରର ଆରଏସଏସ ମୁଖ୍ୟାଳୟରେ ବିଜୟଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଶସ୍ତ୍ର ପୂଜା କରିବା ଅବସରରେ ନିଜ ଅଭିଭାଷଣରେ ବାଂଲାଦେଶ, କୋଲକାତା ବଳାତ୍କାର-ହତ୍ୟା, ଦେଶରେ ହିଂସା ଘଟଣା, ଇସ୍ରାଏଲ-ହାମାସ ଯୁଦ୍ଧ ଏବଂ ଶୋଭାଯାତ୍ରାରେ ପଥର ଫିଙ୍ଗିବା ଭଳି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଯାହାକୁ ନେଇ ସାରା ଦେଶରେ କଂଗ୍ରେସ ନେତାମାନେ ଏହାକୁ ନେଇ ନିନ୍ଦା କରୁଛନ୍ତି । କିନ୍ତୁ ସଂଘ ଯେଉଁ ଭାରତର ସଂସ୍କୃତି, ପରମ୍ପରା, ଐତିହ୍ୟ କଥା କହୁଛି ଏହି ନେତାମାନେ ତାହା ଉପରେ କିଛି କହିବାକୁ ମନେ କରୁନାହାଁନ୍ତି । ଭାରତରେ ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ଦେଶର ବିକାଶ ପାଇଁ କାମ କରିବାକୁ ଭାଗବତ କହିଥିଲେ ମଧ୍ୟ କଂଗ୍ରେସ ଏ ସଂପର୍କରେ କିଛି କହିନାହିଁ । ହିନ୍ଦୁମାନଙ୍କୁ ଏକତ୍ର ହୋଇ ଦେଶ ବିକାଶରେ ସହଯୋଗ କରିବାକୁ ଭାଗବତ ଆହ୍ବାନ ଦେଇଥିବା ବେଳେ କଂଗ୍ରେସ ନେତାମାନେ ଏହି ପ୍ରସଙ୍ଗରେ ଚୁପ ରହିଛନ୍ତି ।
ଆଗକୁ ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ ଆସୁଛି ତେଣୁ ନେତାମାନେ ଅନେକ ସମାଲୋଚନା କରିପାରନ୍ତି । ଦଳ ଦଳ ମଧ୍ୟରେ ମତକୁ ନେଇ ବିବାଦ ଆହୁରି ବଢ଼ିପାରେ । ନିର୍ବାଚନ ପୂର୍ବରୁ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ବଢ଼ିବାର ଆଶଙ୍କା ରହିଛି ।