ଏୟାର ଇଣ୍ଡିଆ ଏକ୍ସପ୍ରେସର ତିରୁଚିରାପ୍ଲଲୀରୁ ସାରଜାହ ଯାଉଥିବା ଫ୍ଲାଇଟ ଶୁକ୍ରବାର ସଂନ୍ଧ୍ୟାରେ ଏମାର୍ଜେନ୍ସୀ ଲ୍ୟାଣ୍ଡି ହୋଇଛି । ଏହି ବିମାନଟି ଅପରାହ୍ନ 5.40 ମିନିଟରେ ସାରଜାହ ଯିବା ଲାଗି ଟେକଅଫ କରିଥିଲା । ତେବେ ଟେକଅଫ ପରେ ପରେ ପ୍ଲେନର ଲ୍ୟାଣ୍ଡିଂ ଗିୟର ସହ ସମ୍ପୃକ୍ତ ହାଇଡ଼୍ରେଲିକ ସିଷ୍ଟମରେ ତ୍ରୁଟି ଦେଖା ଦେଇଥିଲା । ଏହା ପରଠାରୁ ବିମାନଟି ଆକାଶରେ ୩ ଘଣ୍ଟା ଧରି ଚକ୍କର କାଟୁଥିଲା। ପରେ ରାତି ପ୍ରାୟ ୮ଟା ୧୫ ମିନିଟ୍ରେ ବିମାନଟି ସୁରକ୍ଷିତ ଅବତରଣ କରିଛି।
ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ର ଫ୍ଲାଇଟ ନମ୍ବର ଏଏକ୍ସବି ୬୧୩ରେ ଚାଳକଦଳଙ୍କୁ ମିସାଇ ୧୪୧ ଜଣ ଯାତ୍ରୀ ଥିଲେ। ବିମାନର ତ୍ରୁଟି ସମ୍ପର୍କରେ ପାଇଲଟ ସୂଚିତ କରିବାମାତ୍ରେ ଏୟାରପୋର୍ଟରେ ଏମାର୍ଜେନ୍ସୀ ଘୋଷଣା କରାଯାଇଥିଲା। ସୂଚନା ଅନୁସାରେ ପାଇଲଟ ବିମାନର ଇନ୍ଧନ କମ କରିବା ପାଇଁ ଆକାଶରେ ଚକ୍କର କାଟୁଥିଲେ। ସେପଟେ ପାଇଲଟଙ୍କ ପକ୍ଷରୁ ଏମାର୍ଜେନ୍ସୀ ମ୍ୟାସେଜ ମିଳିବାମାତ୍ରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଦମକଳ ଓ ଆମ୍ବୁଲାନ୍ସ ମୁତୟନ କରିଦେଇଥିଲେ।