ହିରୋସିମା ଉପରେ ପରମାଣୁ ବୋମା ପଡ଼ିବା ପରେ ଅନେକ ପରିବାର ପିଢ଼ି ପରେ ପିଢ଼ି ବିକଳାଙ୍ଗ ହୋଇଥିଲେ । ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଦେଖାଶୁଣା କରି ଆସୁଥିବା ଏକ ସଂଗଠନକୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର ।
ଜାପାନର ଏହି ସଂଗଠନର ନାମ ହେଉଛି ନିହୋନ୍ ହିଡାନକିୟୋ । ୨୦୨୪ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଛି ଏହି ସଂଗଠନ । ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ବୋମା ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଦେଖାଶୁଣା ସୁନିଶ୍ଚିତ କରି ଆସୁଛି। ପରମାଣୁ ଅସ୍ତ୍ର ଆଉ ଯେମିତି ବ୍ୟବହାର ନହୁଏ ସେ ଦିଗରେ ଏହି ଜାପାନୀ ସଂଗଠନ କାର୍ଯ୍ୟ କରିବା ସହ ପ୍ରଚାର ପ୍ରସାର କରୁଛି ।
୧୯୫୬ ମସିହାରେ ନିହୋନ୍ ହିଡାନକିୟୋ ଗଠନ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ହେଉଛି ପରମାଣୁ ଅସ୍ତ୍ର ଦ୍ୱାରା ହୋଇଥିବା କ୍ଷତି ବିଷୟରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବା।
ପରମାଣୁ ଅସ୍ତ୍ର ବିରୋଧରେ ସାରା ବିଶ୍ବରେ ସଚେତନ କରିବା ପାଇଁ ସ୍ୱର ଉତ୍ତୋଳନ କରିଥିବାରୁ ନୋବେଲ କମିଟି ନିହୋନ୍ ହିଡାନକିୟୋକୁ ପ୍ରଶଂସା କରି ପୁରସ୍କାର ଦେବାକୁ ଘୋଷଣା କରିଥିବା ଜଣାଯାଇଛି। ପରମାଣୁ ବୋମା ଆକ୍ରମଣରେ ପ୍ରାୟ ୧ଲକ୍ଷ ୨୦ହଜାର ଲୋକ ମୃତ୍ୟୁ ବରଣ କରିଥିଲେ।
ଆଉ କିଛି ଦିନ ପରେ ହିରୋସିମା ଏବଂ ନାଗାସାକି ଉପରେ ହୋଇଥିବା ପରମାଣୁ ବୋମା ଆକ୍ରମଣକୁ ୮୦ବର୍ଷ ପୂରଣ ହେବ । ପରମାଣୁ ବୋମା ବିକିରଣର ସଂସ୍ପର୍ଶରେ ଆସି ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା |
ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ, ନିହୋନ୍ ହିଡାନକିୟୋକୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରି ଆମେ ସେହି ସମସ୍ତ ବଞ୍ଚିଥିବା ଲୋକଙ୍କୁ ସମ୍ମାନିତ କରିବାକୁ ଚାହୁଁଛୁ, ଯେଉଁମାନେ ଯନ୍ତ୍ରଣାଦାୟକ ସ୍ମୃତି ସତ୍ତ୍ୱେ ଶାନ୍ତି ବାଛିଥିଲେ।