ମାଡ଼ିଆସୁଛି ବାତ୍ୟା ମିଲ୍ଟନ । ଆମେରିକା ଫ୍ଲୋରିଡ଼ା ସହରରେ ଆଲର୍ଟ । 100 ବର୍ଷରେ ସବୁଠାରୁ ଭୟଙ୍କର ବାତ୍ୟା ଆସୁଥିବା ସୂଚନା । ଲୋକଙ୍କୁ ବିପଜ୍ଜନକ ସ୍ଥାନ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି । 10 ଦିନ ମଧ୍ୟରେ ଆମେରିକାରେ ଏହା ହେଉଛି ଦ୍ବିତୀୟ ବଡ଼ ଝଡ଼ । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମିଲ୍ଟନ ବାତ୍ୟାକୁ ନେଇ ଫ୍ଳେରିଡ଼ାରେ ସତର୍କ ସୂଚନା ଜାରି କରାଯାଇଛି । ନ୍ୟାସନାଲ ହରିକେନ ସେଣ୍ଟର ଏହାକୁ ସୁବଠାରୁ ବିନାଶ କାରୀ ବାତ୍ୟାର 5ମ ଶ୍ରେଣୀରେ ରହିଛି । ଏହି ବର୍ଗରେ ବ୍ୟାପକ ଧନଜୀବନ ହାନି ହେବାର ଆଶଙ୍କା ରହିଛି ।
ମିଲ୍ଟନ୍ ବୁଧବାର ଫ୍ଲୋରିଡାର ଜନବହୁଳ ଟାମ୍ପା ଉପସାଗରକୁ ଛୁଇଁପାରେ । ବର୍ତ୍ତମାନ ଏହା ଟାମ୍ପାଠାରୁ ୧୦୦୦ କିଲୋମିଟର ଦୂରରେ ରହିଛି । ଟାମ୍ପାର ଜନସଂଖ୍ୟା ୩ ନିୟୁତରୁ ଅଧିକ । ବାତ୍ୟା ଟାମ୍ପା ଉପସାଗରରେ ପହଞ୍ଚିବା ପରେ ଦୁର୍ବଳ ହେବାର ଆଶଙ୍କା ରହିଛି। ଏହାପରେ ଏହା କେନ୍ଦ୍ରୀୟ ଫ୍ଲୋରିଡାରୁ ଆଟଲାଣ୍ଟିକ ମହାସାଗର ଆଡକୁ ଗତି କରିବ ।
ସାମୁଦ୍ରିକ ଝଡ଼ ମିଲ୍ଟନ୍ ଏବେ ମେକ୍ସିକୋ ଉପସାଗର ଦେଇ ଗତି କରୁଛି। ସୋମବାର ରାତିରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୨୮୫ କିଲୋମିଟର ଥିଲା । ଏହା ଫ୍ଲୋରିଡା ରାଜ୍ୟ ଆଡକୁ ଗତି କରୁଛି । ବାତ୍ୟା ଯୋଗୁଁ ଫ୍ଲୋରିଡାର ୬୭ଟି କାଉଣ୍ଟି ମଧ୍ୟରୁ ୫୧ଟିରେ ଜରୁରୀକାଳୀନ ସତର୍କ ସୂଚନା ଜାରି କରାଯାଇଛି। ଫ୍ଲୋରିଡାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରାଯାଉଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହା ପୂର୍ବରୁ ଆମେରିକାରେ ବାତ୍ୟା ହେଲେନ୍ ମାଡ଼ି ଆସିଥିଲା। ଏଥିରେ ୨୨୫ ଜଣଙ୍କ ମୃତ୍ୟୁ ହୋଇଥିଲା।