ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ନିର୍ବାଚନ ଆୟୋଗ ୱେବସାଇଟ ଅନୁଯାୟୀ ବିଜେପି 48ଟି ଆସନରେ ବିଜୟୀ ହୋଇ ଥିବାବେଳେ କଂଗ୍ରେସ 37 ଟି ଆସନରେ ବିଜୟୀ ହୋଇଛି । ଇସିଙ୍କ ଅନୁଯାୟୀ ଆଇଏନଏଲଡି 3 ସ୍ୱାଧୀନ ପ୍ରାର୍ଥୀମାନେ2 ଟି ଆସନରେ ଜିତିଛନ୍ତି । ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ଲଗାତାର ତୃତୀୟ ଥର ପାଇଁ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ଜଣାପଡିଛି । ଦଳର ଦିଲ୍ଲୀ କାର୍ଯ୍ୟାଳୟରେ ଏହି ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସ୍ୱତନ୍ତ୍ର ଉପଲକ୍ଷେ ପାର୍ଟି ହାଇକମାଣ୍ଡ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି । କାର୍ଯ୍ୟକ୍ରମ ଅନୁସାରେ ସଂଧ୍ୟା ୭ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବ ପାଳନ ପାଇଁ ବିଜେପି ପକ୍ଷରୁ ୧୦୦ କିଲୋଗ୍ରାମ ଜିଲାପି ଅର୍ଡର ଦିଆଯାଇଛି ।
ରାଜ୍ୟର ମୋଟ ୯୦ଟି ବିଧାନ ସଭା ଆସନ ମଧ୍ୟରୁ ବିଜେପି କାହିଁକି ଅଧିକ ଆସନରେ ଜିତିଲା ତାକୁ ନେଇ ଅନେକ ଚର୍ଚା ହେଉଛି । ହରିୟାଣାରେ କାହିଁକି ଜିତିଲା ବିଜେପି? ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ ସମସ୍ତଙ୍କୁ ବିସ୍ମିତ କରିଛି । ହିନ୍ଦୀ ବେଲ୍ଟରେ ପୁଣି ଥରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ କଂଗ୍ରେସ କାହିଁକି ଜିତୁ ଜିତୁ ହାରିଗଲା ତାହା ଉପରେ ଚର୍ଚା ଚାଲିଛି । କୁହାଯାଉଥିଲା ହରିୟାଣାରେ ହିନ୍ଦୁ ଭୋଟ ଭାଗ ଭାଗ ହେବ । ଚାଷୀମାନେ କଂଗ୍ରେସକୁ ଭୋଟ ଦେବେ ଜାଟ ମାନେ କଂଗ୍ରେସ କୁ ଭୋଟ ଦେବେ କିନ୍ତୁ ତାହା ଘଟିଲା ନାହିଁ । ସରକାରଙ୍କ ଯୋଜନା ମୋଦିଙ୍କ ଉପରେ ଭରସା ପାଇଁ ବିଜେପିକୁ ଭୋଟର ତୃତୀୟ ଥର ପାଇଁ ଭୋଟ ଦେଲେ । ହରିୟାଣାରେ ବିଜୟ ପାଇଁ ଜାଟ ଭୋଟ ଜରୁରୀ । ଏଥର ଜାଟ ପଂଚାୟତ କଂଗ୍ରେସକୁ ଭୋଟ ଦେବାକୁ ଘୋଷଣା କରିଥିଲା । ତଥାପି ଜାଟମାନେ ବିଜେପି ସହ ରହିଲେ । ପଂଚାୟତର ନିଷ୍ପତ୍ତି ଭୋଟରେ ବିଭାଜିତ ହେଲାନାହିଁ । ବିଜେପିର ଏହି ଚମକପ୍ରଦ ବିଜୟ ପଛରେ ରହିଛି ଜାଟ୍ ଫ୍ୟାକ୍ଟର । କଂଗ୍ରେସ ଜାଟଙ୍କୁ ନେଇ ବହୁ ପ୍ରଚାର କରୁଥିଲା । କୁହାଯାଉଥିଲା ଜାଟ୍ ସମୁଦାୟ କଂଗ୍ରେସ ସହ ରହିଛନ୍ତି । ଏପରିକି ଲୋକସଭା ନିର୍ବାଚନ ବେଳେ ଅଧିକାଂଶ ଜାଟ୍ ଭୋଟ କଂଗ୍ରେସ ସପକ୍ଷରେ ଯାଇଥିଲା । ହେଲେ ବିଧାନସଭା ନିର୍ବାଚନ ବେଳେ ପୁରା ଓଲଟା ହୋଇଛି । ଜାଟ୍ ସମୁଦାୟ କଂଗ୍ରେସ ବଦଳରେ ବିଜେପି ସହ ରହିଛନ୍ତି । ଜାଟ୍ ବହୁଳ ୩୬ଟି ଆସନ ମଧ୍ୟରୁ ୧୯ଟିରେ ବିଜେପି ସପକ୍ଷରେ ଯାଇଛି। ପୂର୍ବତନ ସହଯୋଗୀ ତଥା ଜେଜେପି ପାର୍ଟି ନେତା ଦୁଷ୍ୟନ୍ତ ଚୌତାଲାଙ୍କଠାରୁ ଅଲଗା ହେବା ଦ୍ବାରା ଏଥର ବିଜେପିକୁ ଫାଇଦା ମିଳିଛି । ଏଥର ଭୋଟରମାନେ ମୋଦିଙ୍କ ଯୋଜନାକୁ ପସନ୍ଦ କରିଛନ୍ତି । କଂଗ୍ରେସର ମାଗଣା ଯୋଜନାକୁ ଭୋଟରମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସ ଅନେକ ଲୋଭନୀୟ ଅଫର ଦେଇଥିଲା । କିନ୍ତୁ ହରିୟାଣା ଭୋଟର ଏହାକୁ ଖାତିର ନକରି ବିଜେପିକୁ ଭୋଟ ଦେଇଥିଲେ । ସହରୀ ଭୋଟର ଏବେ ବି ବିଜେପି ସହ ରହିଛନ୍ତି । ସହର ଭିତ୍ତିକ ଆସନଗୁଡିକରେ ବିଜେପି ବିଜୟ ଲାଭ କରିଛି । କୁହାଯାଉଥିଲା ସହର ଭୋଟ କଂଗ୍ରେସକୁ ଯିବ । କିନ୍ତୁ ଦାହା ହୋଇନାହିଁ । ଚାଷୀମାନେ ଏଥର ଖୋଲାଖୋଲି କଂଗ୍ରେସ ସହ ଥିବା ଦେଖାଯାଇଥିଲା । ଅନେକ ଚାଷୀ ସଂଗଠନ ବିଜେପିକୁ ବିଦା କରିବାକୁ ଦିନ ରାତି ରଣନୀତି କରୁଥିଲେ । କିନ୍ତୁ ତାହା ଭୋଟରେ ବିଭାଜନ ହୋଇପାରିଲା ନାହିଁ । ଚାଷୀ ସଂଗଠନ କଂଗ୍ରେସକୁ ଭୋଟ ଦେବାକୁ ଘୋଷଣା କରିଥିବା ବେଳେ ଚାଷୀମାନେ ବିଜେପିକୁ ଭୋଟ ଦେଇଥିଲେ । ଦକ୍ଷିଣ ହରିୟାଣାର ଅହିରୱାଲ ଅଞ୍ଚଳରେ କୁହାଯାଉଥିଲା ଏଥର କଂଗ୍ରେସକୁ ଭୋଟ ଯିବ । କିନ୍ତୁ ବିଜେପିର ଦବଦବା ଏବେ ବି କାଏମ ରହିଛି । ଏହି ଅଞ୍ଚଳରୁ ମିଳିଥିବା ଆସନ ଯୋଗୁଁ ବିଜେପି ୨୦୧୪, ୨୦୧୯ରେ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା । ଏଥର ମଧ୍ୟ ଅହିରୱାଲ ଅଞ୍ଚଳରେ ଥିବା ୧୧ଟି ଆସନରେ ବିଜେପି କ୍ଲିନ୍ ସୁଇପ୍ କରିଛି । କଂଗ୍ରେସର ମିଛ ପ୍ରଚାରକୁ ଭୋଟରମାନେ ଗ୍ରହଣ କରିନାହାଁନ୍ତି । ଏପରିକି ହରିୟାଣାର ସାଇବର ହବ୍ ଭାବେ ପରିଚିତ ଗୁରୁଗ୍ରାମରେ ମଧ୍ୟ ବିଜେପି ବିଜୟୀ ହୋଇଛି । ବିଜେପି ମନୋହର ଲାଲ ଖଟ୍ଟରଙ୍କୁ ପରିବର୍ତ୍ତନ କରି ବଡ଼ ଖେଳ ଖେଳିଥିଲା । ନିର୍ବାଚନର ଠିକ୍ ବର୍ଷେ ପୂର୍ବରୁ ମୁଖ୍ୟମନ୍ତ୍ରୀ ହୋଇଥିବା ନାୟବ ସିଂ ସୈନୀଙ୍କ ନେତୃତ୍ବ ଯୋଗୁଁ ବିଜେପିକୁ ସଫଳତା ମିଳିଛି । ବିଜେପି ସୈନୀଙ୍କୁ ନିଜର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପିତ କରିଥିଲା । ଆଉ ଏହାର ଫାଇଦା ଦଳକୁ ମିଳିଛି । ହରିୟାଣାରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା କଂଗ୍ରେସ ସ୍ଥିର କରିପାରିନଥିଲା । ଦଳ ଅନେକ ଗୋଷ୍ଠୀରେ ବିଭକ୍ତ ହୋଇଥିଲା । କଂଗ୍ରେସରେ ଗୋଷ୍ଠୀବିବାଦ ତଥା ନେତୃତ୍ବ ନେବାର ଲଢେଇ ଯୋଗୁ ନିର୍ବାଚନ ବେଳେ କଂଗ୍ରେସ ଶିବିର ବହୁ ଗୋଷ୍ଠୀରେ ବିଭକ୍ତ ହୋଇଥିଲା । ଭୂପିନ୍ଦର ସିଂ ହୁଡା, କୁମାରୀ ଶୈଲଜା, ରଣଦୀପ ସୂର୍ଜେୱାଲା ଏବଂ ଭୂପିନ୍ଦରଙ୍କ ପୁଅ ଦୀପେନ୍ଦର ହୁଡା, ସମସ୍ତେ ନିଜକୁ କଂଗ୍ରେସର ପ୍ରମୁଖ ଚେହେରା ଭାବେ ଉପସ୍ଥାପିତ କରୁଥିଲେ । ତେଣୁ ଲୋକମାନେ କଂଗ୍ରେସକୁ ଗ୍ରହଣ କରିଲେ ନାହିଁ ।