ଶେଖ ହସିନାଙ୍କ ସରକାର ଯିବା ପରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି । ଏପରିକି ଦୁର୍ଗା ପୂଜା ଉପଲକ୍ଷେ ନିର୍ମାଣ ଚାଲିଥିବା ମୂର୍ତ୍ତିକୁ କିଛି ଲୋକ ସେଠାରେ ବିରୋଧ କରି ଭାଙ୍ଗି ଦେଉଛନ୍ତି । କେତେକ ସ୍ଥାନରେ ପୂଜା କରିବା ପାଇଁ 5 ଲକ୍ଷ ଟଙ୍କା ମଗା ଯାଉଛି । 5 ଅଗଷ୍ଟ 2024 ରେ ବାଂଲାଦେଶରେ ଶେଖ ହସିନା ସରକାର ଭୁଶୁଡି ପଡିଥିଲା । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଇସ୍ତଫା ଦେଇ ଭାରତରେ ଆଶ୍ରୟ ନେବାକୁ ପଡିଥିଲା। ଏହି ଘଟଣା ପରଠାରୁ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ସାମନାକୁ ଆସୁଛି । ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶ ଚଳାଉଥିବା ସରକାର ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଉନଥିବା କହୁଛନ୍ତି କିନ୍ତୁ ଏଥିରେ ସେ କିଛି ଲୁଚାଉଥିବା ଚର୍ଚା ହେଉଛି ।
ହିଂସାକାଣ୍ଡକୁ କାର୍ଯ୍ୟନିର୍ବାହୀ ସରକାର ଆଖି ବୁଜି ଦେଉଛନ୍ତି ଏବଂ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାକୁ ଦମନ କରିବାରେ ବ୍ୟସ୍ତ ଅଛନ୍ତି ବୋଲି ସେଠାକାର ହିନ୍ଦୁ କହୁଛନ୍ତି ।
ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଘୃଣାର ସଦ୍ୟତମ ଘଟଣାରେ ଦୁର୍ଗାଙ୍କ ମୂର୍ତ୍ତିକୁ ଭଂଗାଯାଉଛି । ସେପ୍ଟେମ୍ବର 28 ଏବଂ ଅକ୍ଟୋବର 1 ରେ ବାଂଲାଦେଶର ରାଜଶାହ ଡିଭିଜନର ସୁଜାନଗର ଉପଜିଲ୍ଲାରେ ପୂଜା ମଣ୍ଡପ ଏବଂ ମାଣିକାଦୀ ପଲପାରା ବାରୱାରୀ ପୂଜା ମଣ୍ଡପରେ ଦୁର୍ଗା ଏବଂ ଅନ୍ୟ ହିନ୍ଦୁ ଦେବତାଙ୍କ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସେଠାକାର ସରକାର ମଧ୍ୟ ଏଭଳି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କୁହାଯାଉଛି । ହିନ୍ଦୁମାନେ ଏହାକୁ ବିରୋଧ କରୁଛନ୍ତି ।