ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଏବେ ଯୁଦ୍ଧକୁ ନେଇ ଚାରିଆଡ଼େ ଚର୍ଚା । G7 ରାଷ୍ଟ୍ର ସମୂହର ଜରୁରୀ ବୈଠକ ମଧ୍ୟ ବସିଛି । ଯେଉଁଥିରେ ଇରାନ ଉପରେ କଠୋର କଟକଣା ଲଗାଇବା ନେଇ ବିଶ୍ବନେତାମାନେ ସମ୍ମତି ପ୍ରଦାନ କରିଛନ୍ତି । ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଲାଣି । ମଧ୍ୟପ୍ରାଚ୍ୟରେ ଗମ୍ଭୀର ଯୁଦ୍ଧ ସ୍ଥିତିକୁ ନେଇ ଭାରତ ମଧ୍ୟ ଚିନ୍ତିତ । ଇରାନର ଆକ୍ରମଣ ପରେ ଚିହିଁକି ଉଠିଥିବା ଇସ୍ରାଏଲ, ବଡ଼ ଧରଣର ଆଟାକ୍ ପାଇଁ ପ୍ରସ୍ତୁତ କରୁଛି । ଯୁଦ୍ଧର ପ୍ରଭାବ ଭାରତରେ ବି ତୈଳ, ସୁନା, ଷ୍ଟକ୍ ମାର୍କେଟ ସହ ଅର୍ଥନୀତି ପ୍ରଭାବିତ ହେଲାଣି। ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇ ଆଲୋଚନା କରିଛନ୍ତି ।
ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟର ସ୍ଥିତିକୁ ଗଭୀର ଚିନ୍ତାଜନକ ବୋଲି ଏହି ବୈଠକରେ ଦର୍ଶାଯାଇଛି । ଏଥିସହ ଏହି ସଂକଟ ଆହୁରି ବ୍ୟାପକ ହେଲେ, ବାଣିଜ୍ୟ, ତୈଳ, ପେଟ୍ରୋଲିୟମ ଉତ୍ପାଦ ସପ୍ଲାଏ ଚେନ୍ ଓ ଜାହାଜ ଚଳାଚଳ ଆଦି କ୍ଷେତ୍ରରେ ଭାରତକୁ କିଭଳି ଚାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ, ସେସଂପର୍କରେ ଆଲୋଚନା ହୋଇଛି । ବିଶେଷ କରି ତୈଳ ଦର ବଢ଼ି ବଢ଼ି ଚାଲିଛି । ଆଗାମୀ ଦିନରେ ଏନେଇ କିଛି ବଡ଼ ନିଷ୍ପତ୍ତି ନେଇପାରେ ଭାରତ ।