ନୂଆଦିଲ୍ଲୀ: ଅନେକ ସମୟରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଥାନା ପର୍ଯ୍ୟନ୍ତ ଯାଇଥାଏ । ସ୍ତ୍ରୀଙ୍କ ବିନା ଅନୁମତିରେ ଶାରିରୀକ ସଂପର୍କକୁ ନେଇ ଦଣ୍ଡ ଦେଇହେବ କି ନାହିଁ ତାକୁ ନେଇ ଏବେ ବିଚାର ଚାଲିଛି । ଏନେଇ ନିୟମ ନଥିବା ବେଳେ କିଛି ମାମଲା ଦାୟର ହୋଇଛି । ଏହି ମାମଲାରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ନିଜ ପକ୍ଷ ରଖିଛନ୍ତି । ବୈବାହିକ ଦୁଷ୍କର୍ମକୁ ଅପରାଧ ବୋଲି ବିବେଚନା ଉଚିତ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।
ବୈବାହିକ ଦୁଷ୍କର୍ମକୁ ଅପରାଧ କରିବାକୁ ଚାହୁଁଥିବା ଅନେକ ଆବେଦନକୁ ବିରୋଧ କରି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏପରି ସତ୍ୟାପାଠ ଦାଖଲ କରିଛନ୍ତି । ସରକାର କହିଛନ୍ତି ବୈବାହିକ ଦୁଷ୍କର୍ମ ସହ ଜଡିତ ମାମଲା ଦେଶରେ ସାମାଜିକ ତଥା ଆଇନଗତ ପ୍ରଭାବ ପକାଇବ। କେବଳ ଆଇନଗତ ଦୃଷ୍ଟିକୋଣରୁ ଏହି ପ୍ରସଙ୍ଗକୁ ଦେଖିବା ପରିବର୍ତ୍ତେ ଏକ ବ୍ୟାପକ ଆଭିମୁଖ୍ୟର ଆବଶ୍ୟକତା ରହିଛି।
ଜଣେ ସ୍ୱାମୀ ନିଜ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି ଏବଂ ତାଙ୍କୁ ଦୁଷ୍କର୍ମ ମାମଲା ଭଳି ଦଣ୍ଡିତ କରାଯାଏ, ତେବେ ଏହା ବୈବାହିକ ଜୀବନ ଉପରେ ଗୁରୁତର ପ୍ରଭାବ ପକାଇପାରେ।ସ୍ତ୍ରୀ ନାବାଳିକା ହୋଇନଥିଲେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାରୁ ସ୍ବାମୀଙ୍କୁ ଦଣ୍ଡ ଦିଆଯିବ କି ନାହିଁ ସେନେଇ ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ନେବେ।
୨୦୧୩ରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୫ରେ ସଂଶୋଧନ କରାଯାଇଥିଲା । ସେତେବେଳେ ବୈବାହିକ ଦୁଷ୍କର୍ମ ପାଇଁ ବ୍ୟତିକ୍ରମ-୨ ଭଳି ଏକ ସ୍ୱତନ୍ତ୍ର ନିୟମ ରଖିବାକୁ ସଂସଦ ନିଷ୍ପତ୍ତି ନେଇଥିଲେ। ବ୍ୟତିକ୍ରମ ୨ ଅନୁଯାୟୀ, ଯଦି ସ୍ତ୍ରୀଙ୍କ ବିନା ଅନୁମତିରେ ସ୍ବାମୀ ତାଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି ତେବେ ସ୍ୱାମୀ ଦଣ୍ଡ ପାଇବେ ନାହିଁ। ଜଣେ ସ୍ୱାମୀ ନିଜ ପତ୍ନୀଙ୍କ ସହ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। ମାତ୍ର ଏହାକୁ ଅପରାଧ ବୋଲି ମଣିଲେ ବୈବାହିକ ଜୀବନ ଉପରେ ଗୁରୁତର ପ୍ରଭାବ ପକାଇବା ସହ ସମ୍ପର୍କକୁ ଅସ୍ଥିର କରିପାରେ।