ହାଇଦ୍ରାବାଦ୍ : ଆଜାହରୁଦ୍ଦିନଙ୍କୁ ସମନ ପଠାଇଲା ଇଡି । କାରଣ ହେଉଛି ଅର୍ଥ ହେରଫେର ମାମଲା । ଷ୍ଟାଡିୟମ ନିର୍ମାଣରେ ଅର୍ଥ ହେରଫର ଅଭିଯୋଗ ହେବା ପରେ ଇଡି ତଦନ୍ତ କରୁଛି । ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଆର୍ଥିକ ଘୋଟାଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଜାହରୁଦ୍ଦିନଙ୍କୁ ସମନ ପଠାଇଛି। ତାଙ୍କୁ ଆଜି ପଚରାଉଚରା ପାଇଁ ଡକାଯାଇଛି। ଏହି ମାମଲାରେ ଇଡି ତିନୋଟି ମାମଲା ରୁଜୁ କରିଛି ଏବଂ ଅଧିକ ଅନୁସନ୍ଧାନ ଚାଲିଛି।
ଆଜାହରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ୨୦ କୋଟି ଟଙ୍କା ହେରଫେର୍ ହୋଇଥିବା କୁହାଯାଉଛି। ଅଧିକ ଅର୍ଥରେ ଜିନିଷ କିଣିଥିବା ପ୍ରମାଣ ରହିଛି ।
ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଅଧିକାରୀଙ୍କ ବିରୋଧରେ ଇଡି ଅର୍ଥ ହେରଫେର ମାମଲା ରୁଜୁ କରିଥିଲା। ଇଡି ତେଲଙ୍ଗାନାର ୯ଟି ସ୍ଥାନ ଉପରେ ଚଢାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ ଉପକରଣ ଉଦ୍ଧାର କରିଥିଲା। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅନୁଯାୟୀ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଅଧିକାରୀମାନେ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ନିର୍ମାଣରେ ଆର୍ଥିକ ଅନିୟମିତତା କରିଥିଲେ। ସେମାନେ ବେସରକାରୀ କମ୍ପାନୀମାନଙ୍କୁ ଉଚ୍ଚ ହାରରେ ଚୁକ୍ତି କରିଥିଲେ ଏବଂ ଆସୋସିଏସନକୁ କୋଟି ଟଙ୍କା ମୂଲ୍ୟର କ୍ଷତି ଘଟାଇଲେ। ତେବେ ଇଡି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ।