ରାଜନୀତିଠୁ ଭଗବାନଙ୍କୁ ଦୂରେଇ ରଖ । ଆସ୍ଥାକୁ ନେଇ ଶସ୍ତା କଥା କହିବା ଠିକ୍ ନୁହେଁ । ମୁଖ୍ୟମନ୍ତ୍ରୀ ଏକ ସାମ୍ବିଧାନିକ ପଦବୀରେ ଥିବାବେଳେ ଆମେ ଆଶା କରିବୁ ଯେ, ଭଗବାନଙ୍କୁ ରାଜନୀତିଠୁ ଦୂରରେ ରଖାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଅଦାଲତ ଆହୁରି କହିଛନ୍ତି ଯେ, ଅପମିଶ୍ରଣ ହୋଇଥିବା ଘିଅ ଲଡୁ ପ୍ରସ୍ତୁତରେ ବ୍ୟବହାର ହେବାର କିଛି ପ୍ରମାଣ ଅଛି କି?, ଯଦି ପ୍ରମାଣ ନାହିଁ, ତେବେ ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରିବାର ଆବଶ୍ୟକତା କଣ ଥିଲା?” । ଭକ୍ତମାନଙ୍କୁ କୈାଣସି ଅପମିଶ୍ରଣ ପ୍ରସାଦ ନେଇ ଠକିବା ଦଣ୍ଡନିୟ ଅପରାଧ । ସେପ୍ଟେମ୍ବରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ବାଲାଜୀ ମନ୍ଦିର ଲଡୁ ପଶୁ ଚର୍ବିରେ ପ୍ରସ୍ତୁତ ହେଉଥିବା ଅଭିଯୋଗ ଆଣିଥିଲେ। ପୂର୍ବର ୱାଇଏସଆର ଜଗନ ମୋହନ ରେଡ୍ଡୀଙ୍କ ସରକାର ସମୟରୁ ଏପରି ହୋଇ ଆସୁଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ବିବାଦ ସୃଷ୍ଟି ହୋଇଥିଲା।
ଗୁଜରାଟର ଏକ ଲ୍ୟାବରେ ଘିଅର ମାନ ପରୀକ୍ଷଣ ହେବା ପରେ ଏଥିରେ ମାଛ ତେଲ, ଘୁଷୁରି ଓ ଗୋ-ଚର୍ବିରେ ଅପମିଶ୍ରିତ ହୋଇଥିବା ନେଇ ପ୍ରାଥମିକ ତଦନ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା। କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏସବୁ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ। ଚନ୍ଦ୍ରବାବୁ ନାଇଡୁ ଜଣେ ଅଭ୍ୟାସଗତ ମିଛୁଆ, ତାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ମିଛ, ଏହାର ତଦନ୍ତ କରାଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କହିଥିଲେ।
ଏହାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା। ଆଜି ସର୍ବୋଚ୍ଚ ଅଦାଲତର ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରି ଉପୋରସ୍ତ ଟିପ୍ପଣୀ ଦେଇଛନ୍ତି।
ଜଷ୍ଟିସ ବିଆର ଗଭାଇ ଏବଂ ଜଷ୍ଟିସ କେଭି ବିଶ୍ୱନାଥନ କହିଛନ୍ତି ମନ୍ଦିରରେ କଣ ହେଉଛି ତାହାକୁ ନେଇ ରାଜନୀତି କରାନଯାଉ । ଧାର୍ମିକ ଭାବାବେଗକୁ ସମ୍ମାନ ଜଣାଇବାର ଆବଶ୍ୟକ ରହିଛି। ଲ୍ୟାବ ରିପୋର୍ଟ ଜୁଲାଇରେ ଆସିଥିଲା । ସେପ୍ଟେମ୍ବରରେ ବିବୃତ୍ତି ରଖିବାରେ କିଛି କାରଣ ନାହିଁ ।