ଭଦ୍ରକ : ଗୁଜବରେ ବିଶ୍ବାସ କରନ୍ତୁ ନାହିଁ । ଶାନ୍ତି ଶୃଖଂଳା ରକ୍ଷା କରନ୍ତୁ । ପୋଲିସକୁ ସହଯୋଗ କରନ୍ତୁ । ଭଦ୍ରକରେ ଶାନ୍ତି ପ୍ରତିଷ୍ଠା ପାଇଁ ଏପରି ଅନୁରୋଧ କରିଛନ୍ତି ଡିଆଇଜି। ଘଟଣାରେ ସମ୍ପୃକ୍ତ ନଥିଲେ ଭୟଭୀତ ନହୋଇ ଘରେ ରହିଲେ କୌଣସି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ଡିଆଇଜି। ସାରା ଜିଲ୍ଲାରେ ବଳବତ୍ତର ରହିଛି ଧାରା ୧୬୩। ୨ ରୁ ଅଧିକ ଲୋକଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଇଛି ପ୍ରଶାସନ। ୩ ଦିନ ଧରି ଅଶାନ୍ତ ବାତାବରଣ ପରେ ଭଦ୍ରକରେ ସୁଧୁରୁଛି ସ୍ଥିତି। ଆଜି ସକାଳ ୬ଟାରୁ ସଂଧ୍ଯା ୭ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ଧାମନଗର ଓ ଦୋବଲରେ ମଧ୍ୟ ବନ୍ଦ ରହିଥିବା ସମସ୍ତ ଦୋକାନବଜାର କଟକଣା ମଧ୍ୟରେ ଖୋଲିବ। ସ୍ଥିତିକୁ ନଜରରେ ରଖି ଆହୁରି ୪୮ ଘଣ୍ଟା ବନ୍ଦ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କେବଳ ଲିଜ୍ ଲାଇନ୍ ମାଧ୍ୟମରେ ଇଣ୍ଟରନେଟ ଯୋଗାଇ ଦିଆଯିବ। ଫଳରେ ବ୍ୟାଙ୍କ୍, କର୍ପୋରେଟ୍ ସଂସ୍ଥା ସହ ବଡବଡ ଶିଳ୍ପ ସଂସ୍ଥାକୁ ମିଳିବ ଇଣ୍ଟରନେଟ୍ । ଆଜିଠାରୁ ବ୍ୟାଙ୍କରେ ଦେଣନେଣ ହୋଇପାରିବ । ଗିରଫ ସଂଖ୍ୟା ୧୫ ରେ ପହଞ୍ଚିଥିବାବେଳେ ଆଗକୁ ଏହି ସଂଖ୍ୟା ବଢିବା ସମ୍ଭାବନା ରହିଛି ।
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକ ଅଶାନ୍ତ ହୋଇଥିଲା । ସହରରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନ ପ୍ରୟାସ କରୁଛି। ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଏହି ବିବାଦ ଘନେଇଥିଲା । ପୁରା ଜିଲ୍ଲାରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଲାଗିଛି BNSSର ଧାରା ୧୬୩। ବର୍ତ୍ତମାନ ସୁଦ୍ଧା ଘଟଣାରେ ମୋଟ ୧୫ ଜଣ ଗିରଫ ହୋଇଥିବା ପୋଲିସ କହିଛି । ଗୁଜବ ରୋକିବାକୁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ପୁରୁଣାବଜାର ଅଂଚଳରେ ପୋଲିସର କଡ଼ା ପହରା ଜାରି ରହିଛି । ଧାମନଗର ଓ ଦୋବଲ ମଧ୍ୟ ପୋଲିସର ସୁରକ୍ଷା କଡ଼ାକଡ଼ି କରିଛି । ଭଦ୍ରକ ସହରରେ ଫ୍ଲାଗମାର୍ଚ୍ଚ କରିଛି ଜିଲ୍ଲା ପ୍ରଶାସନ। ଶାନ୍ତି ବଜାୟ ରକିବାକୁ ଅପିଲ କରିଛନ୍ତି ବରିଷ୍ଠ ଅଧିକାରୀ, ନେତା, ମନ୍ତ୍ରୀ ।
ଭଦ୍ରକ ଜିଲ୍ଲାରେ ପ୍ରଶାସନିକ କଟକଣାରୁ ଇଣ୍ଟରନେଟ ବନ୍ଦ ରହିଛି । ପୋଲିସ ଡରରେ ଅନେକ ଦୋକାନ ବନ୍ଦ ରହିଛି। ୩ ଦିନ ହେଲାଣି ଜିଲ୍ଲାରେ ଲାଗି ରହିଛି ଅଶାନ୍ତ ବାତାବରଣ। ଭଦ୍ରକ ସହର ସମେତ ଧାମନଗର ଏବଂ ଦୋବଲ ଅଂଚଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବାରୁ ପୋଲିସ ସତର୍କ ରହିଛି । ଏଠାରେ ଗୋଷ୍ଠୀ ସଂଘର୍ଷରୁ ପୋଲିସ ଉପରକୁ ଆକ୍ରମଣ କରିଥିଲେ ଲୋକେ।
ସ୍ଥିତି ସ୍ବାଭାବିକ କରିବାକୁ ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ। ନଙ୍ଗାମହଲା ଅଂଚଳରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ। ମୁତୟନ ହୋଇଛନ୍ତି ରାପିଡ୍ ଆକ୍ସନ ଫୋର୍ସ। ଜିଲ୍ଲାପାଳ, ପୂର୍ବାଞ୍ଚଳ ଡିଆଇଜି, ଏସପି ସହରରେ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି।ଗୁଜବ ପ୍ରସାର ଯେମିତି ନହୁଏ ସେଥିଲାଗି ଇଣ୍ଟରନେଟ ସେବା ବନ୍ଦ ରହିଛି। ସାରା ଭଦ୍ରକ ଜିଲ୍ଲାରେ ଲାଗିଛି BNSSର ଧାରା ୧୬୩। ମୁଖ୍ଯ ଅଭିଯୁକ୍ତ ସହିତ ବର୍ତ୍ତମାନ ସୁଦ୍ଧା ମୋଟ ୧୫ ଜଣ ଗିରଫ ହୋଇଛନ୍ତି। ଭଦ୍ରକ ସହରରେ ୮ ଏବଂ ଧାମନଗରରୁ ୭ ଜଣଙ୍କୁ ଗିରଫ କରିଛି ପୋଲିସ। ନଙ୍ଗାମହଲା, ସନ୍ଥିଆଛକ, ପୁରୁଣାବଜାର, ଚନ୍ଦନବଜାର ଅଞ୍ଚଳରେ ବନ୍ଦ ରହିଛି ଦୋକାନ ବଜାର। କଚେରୀଛକ, ମେଡିକାଲ ଛକ, ବସଷ୍ଟାଣ୍ଡ ଛକ, ପୋଷ୍ଟ ଅଫିସ ଛକ, ଅପର୍ତ୍ତିବିନ୍ଧା ଛକରେ ସ୍ଥିତି ସ୍ବାଭାବିକ ରହିଛି। ଚଳିତ ମାସରେ ଭଦ୍ରକ ଜିଲ୍ଲାରେ ଏଭଳି ୩ଟି ଘଟଣା ଘଟିସାରିଲାଣି। ଗତ ୧୧ ତାରିଖରେ ଧୁଷୁରି, ୧୯ ତାରିଖରେ ପାଳିଆବିନ୍ଧା ଓ ୨୭ ତାରିଖରେ ଧାମନଗର ଓ ଭଦ୍ରକରେ ସମାନ ଘଟଣା ଘଟିଛି। ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପ୍ରଶାସନ । ଆଗାମୀ ଦିନରେ ହିଂସାକୁ ରୋକିବାକୁ ପୋଲିସ କଡ଼ା ପଦକ୍ଷେପ ନେଇଛି । ଲୋକଙ୍କୁ ଶାନ୍ତିରେ ରହିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ ।