ଆସୁଛି ଦଶହରା । ବର୍ଷାରେ ପୂଜା ବଜାର ଭିଜିବା ସମ୍ଭାବନା ରହିଛି । ଆସନ୍ତା 6 ତାରିଖ ବେଳକୁ ପଶ୍ଚିମ – କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ମୁହାଁ ହୋଇ ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ବର୍ଷା କରାଇବା ସମ୍ଭାବନା ରହିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବା ସମ୍ଭାବନା ନାହିଁ । ଅନ୍ୟପଟେ ସେହି 6 ତାରିଖରେ ପୂର୍ବ – କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଏକ ଘୂଣ୍ଣବଳୟ ସୃଷ୍ଟି ହୋଇ ପୂର୍ବ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ପ୍ରଭାବରେ ପରିଣତ ହେବା ସମ୍ଭାବନା ରହିଛି । ପ୍ରାକ ଆକଳନ ଅନୁଯାୟୀ ସମ୍ଭାବ୍ୟ ଲଘଚୁାପ ପ୍ରଭାବରେ ତାମିଲନାଡ଼ୁରେ ବର୍ଷା ହୋଇପାରେ ଓ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । କିନ୍ତୁ ଏହା ବିଶେଷ ଘନୀଭୂତ ହେବା ସମ୍ଭାବନା କମ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳ କହିଛନ୍ତି । 6 ତାରିଖ ପରେ ଲଘୁଚାପ ସୃଷ୍ଟି ହେଉଥିବାରୁ ହାଲୁକା ବର୍ଷା ବଜାରକୁ ଭିଜାଇପାରେ । ରବିବାର ଭୁବନେଶ୍ବର ସହିତ ବାଲେଶ୍ବର ତାଳଚେର ଢେଙ୍କାନାଳ ଏବଂ ନବରଙ୍ଗପୁରରେ ବର୍ଷା ହୋଇଛି । ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ, କିନ୍ତୁ କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆସନ୍ତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।