ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତାର ବିଷୟ ପାଲଟିଥିବାବେଳେ ଆଗାମୀ ଶୀତ ଋତୁରେ ଏହା ଅଧିକ ସାଘାଂତିକ ହେବାର ଆଶଙ୍କା ରହିଛି । ବିଶେଷ କରି କୋଠାବାଡ଼ି ରାସ୍ତାଘାଟ ନିର୍ମାଣ ସମୟରେ ବାହାରୁଥିବା ଧୂଳି ବାୟୁମଣ୍ଡଳରେ ମିଶିବା ଫଳରେ ପ୍ରଦୂଷଣ ବଢିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ନିର୍ମାଣଧୀନ ପ୍ରକଳ୍ପ ନିମନ୍ତେ ମାର୍ଗଦର୍ଶିକା ଜାରି କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ପରିବେଶ ବିଭାଗ ମନ୍ତ୍ରୀ ଗୋପାଳ ରାୟ ଗଣମାଧ୍ୟ୍ୟମକୁ ସୂଚନା ଦେଇ କହିଛନ୍ତି ବିଭିନ୍ନ ସ୍ଥାନରେ ଚାଲିଥିବା ଘରବାଡ଼ି ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ସମୟରେ ଯେଉଁ ଧୂଳି ବାହାରୁଛି ତାହା ବାୟୁ ପ୍ରଦୂଷଣକୁ ବଢାଇ ଦେଉଛି । ଶୀତ ଋତୁରେ ଏହି ସମସ୍ୟା ବଢିବାର ଆଶଙ୍କା ରହିଥିବାରୁ ନିର୍ମାଣଧୀନ ପ୍ରକଳ୍ପ ନିମନ୍ତେ ମାର୍ଗଦର୍ଶିକା ଜାରି କରାଯାଇଛି ।
ନିର୍ମାଣସ୍ଥଳଗୁଡ଼ିକୁ ଟିଣ ଚାଦରରେ ଢାଙ୍କି ରଖିବାକୁ ନିର୍ଦେଶ ଦିଆଯାଇଛି । ଯାହାଫଳରେ ଧୂଳି ବାୟୁମଣ୍ଡଳରେ ମିଶି ପାରିବ ନାହିଁ । ସେହିପରି ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକର ଟାୟାର ଯେପରି ସର୍ବଦା ପରିଷ୍କାର ରହେ ଏବଂ ସେଥିରେ କୌଣସି ପ୍ରକାର ବାଲି ଗୋଡ଼ି ଲାଗି ନ ରହିବ ତାହା ନିଶ୍ଚିତ କରିବାକୁ ନିର୍ଦେଶ ରହିଛି । ବାଲି ଗୋଡ଼ି ପରିବହନ ସମୟରେ ସେଗୁଡ଼ିକୁ ଢାଙ୍କି ରଖିବାକୁ ଗାଡ଼ି ଚାଳକଙ୍କୁ ନିର୍ଦେଶ ରହିଛି । ନିର୍ମାଣ କାର୍ଯ୍ୟରେ ନିଯୁକ୍ତି ଶ୍ରମିକ ଓ କର୍ମଚାରୀଙ୍କୁ ସାସ୍କ ଓ ଅନ୍ୟାନ୍ୟ ଉପରକରଣ ଯୋଗାଇ ଦେବାକୁ କୁହାଯାଇଛି । ଏହି ନିର୍ଦେଶନାମା ଅକ୍ଟୋବର 7 ରୁ ନଭେମ୍ବର 7 ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାକୁ ଯିଏ ଅମାନ୍ୟ କରିବ ତାଙ୍କ ବିରୋଧରେ କଠୋର କାର୍ଟ୍ରାନୁଷ୍ଠାନ ଗ୍ରହଣ କରାଯିବ । ନିର୍ଦେଶନାମା ପାଳନ କରାଯାଉଛି କି ନାହିଁ ତାହା ଯାଞ୍ଚ କରିବାକୁ ଦିଲ୍ଲୀ ସରକାର 523 ଟି ଦଳ ଗଠନ କରିଥିବା ସେ ସୂଚନା ଦେଇଛନ୍ତି ।