ନୂଆଦିଲ୍ଲୀ: “ଯେତେବେଳେ ବାଂଲାଦେଶରେ ହିନ୍ଦୁମାନଙ୍କୁ ଆକ୍ରମଣ କରାଯାଉଥିଲା ସେତେବେଳେ ତାଙ୍କ ପାଟି ଚୁପ ଥିଲା । ଯେତେବେଳେ ପାକିସ୍ତାନରେ ହିନ୍ଦୁଙ୍କୁ ଆକ୍ରମଣ ହେଉଛି ହତ୍ୟା ହେଉଛି ସେତେବେଳେ ତାଙ୍କୁ କିଛି କହିବାକୁ ମିଳୁନି । କିନ୍ତୁ ଲେବାନନରେ କଣ ହେଲା ସେତେବେଳେ ମେହବୁବା ମୁଫତିଙ୍କ ପାଟି ଖୋଲି ଯାଉଛି । ଏବେ ନସ୍ରଲ୍ଲାର ମୃତ୍ୟୁରେ ସମବେଦନା ଦେଖାଉଛନ୍ତି ମେହବୁବା। ଏସବୁ କୁମ୍ଭୀର କାନ୍ଦଣା, ଲୋକେ ଠିକ୍ ଏହା ପଛର ଉଦ୍ଦେଶ୍ୟ ବୁଝନ୍ତି।”ଏଭଳି କହିଛନ୍ତି ବିଜେପି ନେତା କବିନ୍ଦର ଗୁପ୍ତା। ସେ କହିଛନ୍ତି ଆଜି ମେହବୁବା ମୁଫତି ଜମ୍ମୁ କଶ୍ମୀରରେ ନିର୍ବାଚନୀ ପ୍ରାଚାର କରିବାର ଥିଲା। କିନ୍ତୁ ସେ ଏହାକୁ ବାତିଲ କରିଛନ୍ତି । ଆଉ ତାର କାରଣ ଯାହା କହିଛନ୍ତି ତାହା ଚିନ୍ତାଜନକ । ତାଙ୍କ ଦଳ ପାଲେଷ୍ଟାଇନ ଏବଂ ଲେବାନନ ସପକ୍ଷରେ ଥିବାକୁ ନେଇ ପିଡିପି ଉପରେ ବର୍ଷିଛନ୍ତି କବିନ୍ଦର ।
ଅକ୍ଟୋବର 1ରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ପଡ଼ିବାର ଅଛି । ସେପ୍ଚେମ୍ବର 17 ଏବଂ 25ରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ହୋଇସାରିଛି। ଲେବାନରର ସମର୍ଥିତ ସଂଗଠନ ହେଜବୁଲାର ମୁଖ୍ୟ ହାସନ ନସ୍ରଲ୍ଲାର ମୃତ୍ୟୁକୁ ବିରୋଧ କରିଛି ପିଡିପି । ଜମ୍ମୁ କଶ୍ମୀର ବୁଡଗାମରେ ଏହି ପ୍ରତିବାଦ ସଭା କରାଯାଇଛି। ଶହ ଶହ ଲୋକେ ଏଥିରେ ସାମିଲ ହୋଇ ହେଜବୁଲାର ମୁଖ୍ୟ ନସ୍ରଲ୍ଲାର ସମର୍ଥନରେ ସ୍ଲୋଗାନ ଦେଇଛନ୍ତି। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଚାଲି ଥିବାବେଳେ ଏହି ରାଲିକୁ ନେଇ ରାଜନୈତିକ ଆରୋପ-ପ୍ରତ୍ୟୋରୋପ ଆରମ୍ଭ ହୋଇଯାଇଛି। ବିଜେପି ନେତା ତଥା ପୂର୍ବତନ ଜମ୍ମୁ କଶ୍ମୀରର ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା ପିଡିପି ମୁଖ୍ୟ ମେହବୁବା ମୁଫତି ରାଲି ବାତିଲ୍ କରିବାକୁ ନେଇ ବର୍ଷିଛନ୍ତି। ନସ୍ରଲ୍ଲାର ମୃତ୍ୟୁକୁ ନେଇ ପ୍ରତିବାଦ ଚାଲିଥିବାରୁ ମେହବୁବା ରାଲି ବାତିଲ୍ କରିଦେଇଥିବା ସେ ଅଭିଯୋଗ କରିଛନ୍ତି।