ରାଜ୍ୟ ସରକାର ଅକ୍ଟୋବର – ଡ଼ିସେମ୍ବର ତ୍ରୈମାସିକରେ 4000 କୋଟି ଟଙ୍କା ଋଣ କରିବେ । ନଭେମ୍ବର ଓ ଡ଼ିସେମ୍ବରରେ ସରକାର ଏହି ଋଣ ଆଣିବାକୁ ଯୋଜନା ରଖିଛନ୍ତି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି । ସରକାର ନଭେମ୍ବର ମାସରେ 1000 କୋଟି ଟଙ୍କା ଏବଂ ଡ଼ିସେମ୍ବର ମାସରେ 3000 କୋଟି ଟଙ୍କା ଋଣ ଆଣିବେ । ବିଭିନ୍ନ ରାଜ୍ୟର ସରକାର ସହ ଆଲୋଚନା କରି ରିଜର୍ଭ ବ୍ୟାଙ୍କ ରାଜ୍ୟଗୁଡ଼ିକର ବଜାର ଋଣର ଏକ ସମ୍ଭାବ୍ୟ ଋଣ କ୍ୟାଲେଣ୍ଡର ଜାରି କରିଛି । ଅକ୍ଟୋବରରୁ ଡ଼ିସେମ୍ବର ମଧ୍ୟରେ ରାଜ୍ୟଗୁଡ଼ିକର ବଜାରରୁ 3,20,121 କୋଟି ଟଙ୍କାର ଋଣ କରିବେ ବୋଲି ରିଜର୍ଭ ବ୍ୟାଙ୍କକୁ ଜଣାଇଛନ୍ତି । ସପ୍ତାହିକ ଭିତ୍ତିରେ ଏଥିପାଇଁ ନିଲାମ ହେବ ।
ଓଡ଼ିଶା ସରକାର ନଭେମ୍ବର 19 , ଡ଼ିସେମ୍ବର 17 ଓ ଡ଼ିସେମ୍ବର 24ରେ ହେବାକୁ ଥିବା ନିଲାମରେ ଅଂଶଗ୍ରହଣ କରିବେ । ପ୍ରତି ଥର ବଜାରରୁ 1000 କୋଟିର ଋଣ ଆଣିବେ ବୋଲି ସୂଚନା ଦିଆଯାଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟଗୁଡ଼ିକ ପ୍ରକୃତରେ କେତେ ଟଙ୍କା ଋଣ କରିବେ ତାହା ନିଲାମର କିଛି ଦିନ ପୂର୍ବରୁ ଜଣାପଡ଼ିବ । ରାଜ୍ୟଗୁଡ଼ିକର ଆବଶ୍ୟକତା ଭାରତ ସରକାରଙ୍କ ଅନୁମୋଦନ ଓ ବଜାର ସ୍ଥିତି ଉପରେ ତାହା ନିର୍ଭର କରିବା ଦିଗରେ ବଜାର ସ୍ଥିତିକୁ ନଜରରେ ରଖି ଏହି ନିଲାମକୁ କିଭଳି ନିରବଚ୍ଛିନ୍ନ ଭାବେ ସମ୍ପାଦନ କରିବେ ତାହା ଉପରେ ରିଜର୍ଭ ବ୍ୟାଙ୍କ ଧ୍ୟାନ ଦେଉଛି ।