ସାମାଜିକ ଗଣମାଧ୍ୟମ ଲେଖାକୁ ନେଇ ଭଦ୍ରକରେ ଅଶାନ୍ତି । ଜଣେ ବ୍ୟକ୍ତି ମୁସଲିମ ବିରୋଧୀ ଏକ ପୋଷ୍ଟ କରିଥିଲେ, ଯାହାକୁ ସଂପୃକ୍ତ ସଂପ୍ରଦାୟର ଲୋକମାନେ ବିରୋଧ ସହ ପୁରୁଣା ବଜାର ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏତେ ଗୁରତ୍ବ ଦେଇନଥିଲା । କିନ୍ତୁ ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଫଳରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବି କରି ସନ୍ଥିଆ ପୋଲ ନିକଟରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ ମୁସଲିମ ସଂପ୍ରଦାୟର ଲୋକେ ।
ସୂଚନା ପାଇ ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ସହ ଟାଉନ୍ ଓ ପୁରୁଣା ବଜାର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ରାସ୍ତାରୋକ ଓ ପଦଯାତ୍ରାରୁ ବିରତ ହେବାକୁ କହିଥିଲେ। ହେଲେ ଆନ୍ଦୋଳନକାରୀ କିଛି ଶୁଣି ନଥିଲେ। ଗିରଫଦାରୀ ନେଇ ଅଡ଼ିବସିଥିଲେ। ଏପରି ସମୟରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ପ୍ରଥମେ ଠେଲାପେଲା ଏବଂ ପରେ କଥା ଆକ୍ରମଣ ଯାଏ ଯାଇଥିଲା। ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ଆଖିବୁଜା ପଥର ଓ ଇଟା ମାଡ଼ କରିଥିଲେ। ଏମିତି କି ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଟାଉନ୍ ଥାନା ଏସ୍ଆଇ ରୋଜେନ ମୁର୍ମୁଙ୍କ ମୁଣ୍ଡ ଫାଟିଯିବା ସହ ସେ ଗୁରୁତର ହୋଇଥିଲେ।
ସୋସିଆଲ ମିଡିଆ ପୋଷ୍ଟରୁ ତୁମୁଳକାଣ୍ଡ ହୋଇଥିବାରୁ ଇଣ୍ଟରନେଟ ବନ୍ଦ କରାଯାଇଥିଲା। ଭଦ୍ରକ ଜିଲ୍ଲାରେ ୨ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦେଖା ଦେଇଥିବା ଉତ୍ତେଜନା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯାଇଛି । ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସହରରେ କିଭଳି ଶାନ୍ତି ଫେରିବ ସେ ନେଇ ପୁଲିସ ଏବଂ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ପୁଲିସ ଫ୍ଲାଗମାର୍ଚ୍ଚ ସହ ଭେଇକିଲ ପେଟ୍ରୋଲିଂକୁ ବଢ଼ାଇଛି।
ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ଗତକାଲି ରାତିରେ ପୁରୁଣା ବଜାର ଥାନାରେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ପୁଲିସ ଡିଆଇଜି, ଭଦ୍ରକ ଏସପି ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ।ଧାମନଗର ଏନଏସି ଓ ଦୋବଲରେ ୧୬୩ ସହ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏହା ସହିତ ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ପଥରମାଡ଼ ଘଟଣାରେ ପୁଲିସ ପକ୍ଷରୁ ୯ ଜଣକୁ ଅଟକ ରଖାଯାଇଛି।