ପଥରଗାଡ଼ିଆ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କିଛି ରୋଡ୍ ରୋମିଓ ଝାମେଲା କରିଥିଲେ। ସେହିପରି ଭରତପୁର ଥାନାରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏସବୁ ସ୍ଥାନରେ ସେଦିନ କ’ଣ ଘଟିଥିଲା, କେଉଁ ପରିସ୍ଥିତିରେ ଗଣ୍ଡଗୋଳ ହୋଇଥିଲା ? ଟିକିନିଖି ତଦନ୍ତ କରିବାକୁ ଆଜି ସେଠାରେ ପହଁଚିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ତଦନ୍ତ କରୁଛି ଟିମ୍ । ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବାବେଳେ ଭରତପୁର ଥାନାରେ ମେଜର ଓ ବାନ୍ଧବୀ ପହଂଚିଛନ୍ତି। ସେଦିନ ରାତିରେ କ’ଣ ଘଟିଥିଲା ଖୋଳତାଡ଼ ଚାଲିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।
ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହୋଇପାରେ ପଲିଗ୍ରାଫ ଟେଷ୍ଟ।ଏଥିପାଇଁ ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଛନ୍ତି ଦୀନକୃଷ୍ଣ। ଏଥିସହ ସେ ସମସ୍ତ ପ୍ରକାର ଟେଷ୍ଟ ପାଇଁ ସହମତି ପ୍ରକାଶ କରିଛନ୍ତି।
କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦୀନକୃଷ୍ଣଙ୍କର ପଲିଗ୍ରାଫ ଟେଷ୍ଟ ହେବ ବୋଲି ଜଣାଯାଇଛି। ଦୀନକୃଷ୍ଣ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ କେତେ ସତ କେତେ ମିଛ ପଲିଗ୍ରାଫ ଟେଷ୍ଟ ପରେ ସବୁ ପ୍ରମାଣିତ ହେବ।
ଅନ୍ୟପଟେ, ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଭୁବନେଶ୍ବରଠୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ହେଉଛି ଜୋରଦାର ଚର୍ଚ୍ଚା। ଦିନ ପରେ ଦିନ ଗଡ଼ିବାରେ ଲାଗିଛି ଆଉ ସାମ୍ନାକୁ ଆସୁଛି ନୂଆ ନୂଆ ଟ୍ବିଷ୍ଟ। ପ୍ରଥମେ ପୁଲିସ ଥାନାରେ ଭଙ୍ଗାରୁଜା ଏବଂ ଆକ୍ରମଣ ଘଟଣା ନେଇ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଆଡକୁ ଆଙ୍ଗୁଠି ଉଠିଥିଲା। ହେଲେ ପରବର୍ତ୍ତୀ ସମୟରେ ପୁଲିସ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ଅଭିଯୋଗ ଉପରେ ଡିଜିପି ନେଇଛନ୍ତି କାର୍ଯ୍ୟାନୁଷ୍ଠାନ। ଏପିରିକି ତଦନ୍ତ ସ୍ୱରୂପ ପାଞ୍ଚ ଜଣ ପୁଲିସ ଅଫିସରଙ୍କୁ ନିଲମ୍ବିତ ବି କରାଗଲା। ତେବେ ସେ ଦିନ ରାତିରେ ଭରତପୁର ଥାନାରେ କ’ଣ ହୋଇଥିଲା। କାହା ପାଖରେ ବି ନାହିଁ ସଠିକ୍ ପ୍ରମାଣ। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ କ୍ରାଇମବ୍ରାଞ୍ଚ ଟିମ୍ ତନାଘନା କରୁଛି।