ଧର୍ମକୁ ନେଇ ଭାରତରେ ଅନେକ ବିତର୍କ ହୁଏ । କେଉଁ ଧର୍ମ ଭଲ । କେଉଁ ଧର୍ମ ସମାଜକୁ ଦିଗଦର୍ଶନ ଦିଏ । ଏହାକୁ ନେଇ ନାନା ଲୋକ ନାନା କଥା କୁହନ୍ତି । ତେବେ ଏନେଇ ପଣ୍ଡିତ ଦୀନ ଦୟାଲ ଉପାଧ୍ୟୟ ଯେଉଁ କଥା କହିଥିଲେ ତାହା ଆଜିବି କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଉଛି । ସେ ସ୍ପଷ୍ଟ ଭାବେ କହିଥିଲେ ଧର୍ମ ହେଉଛି ସନାତନ । ଯାହା ପରିବର୍ତ୍ତନ ହୁଏନି । ଆଦିମ କାଳରୁ ଚଳି ଆସିଛି । ରିତିନୀତି ସହ ଜଡ଼ିତ ହୋଇ ରହିଛି । ହିନ୍ଦୁ, ମୁସଲମାନ ଏସବୁ ରିଲିଜନ । ଏହା ଧର୍ମ ନୁହେଁ । ରିଲିଜନ ପାଶ୍ଚାତ୍ୟ ଶବ୍ଦ । ଏହା କହିଥିଲେ ପଣ୍ଡିତ ଦୀନଦୟାଲ । ତାଙ୍କର ଆଜି ଜନ୍ମଦିନ । ଯାହାକୁ ଅନ୍ତ୍ୟୋଦୟ ଦିବସ ଭାବେ ପାଳନ କରାଯାଉଛି । ସ୍ବର୍ଗତ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିବର୍ଷ ସେପ୍ଟେମ୍ବର ୨୫ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଏ । ଦେଶରେ ଗରିବଙ୍କ ଉନ୍ନତି ପାଇଁ ଏହି ଦିବସ ପାଳନ କରିବା ମୁଖ୍ୟ ଲକ୍ଷ୍ୟ । ପଣ୍ଡିତ ଉପାଧ୍ୟାୟଙ୍କ ବିଚାରକୁ ପାଥେୟକରି ବଢିଚାଲିଛି ଭାରତୀୟ ଜନତା ପାର୍ଟି । ସଂଘ ପରିବାରର ଆଦର୍ଶରେ ପରିଚାଳିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଦଳର ଆଦର୍ଶ ବୋଲି ମାନିଆସିଛି ବିଜେପି ।
୨୦୧୪, ସେପ୍ଟେମ୍ବର ୨୫ରେ ପଣ୍ଡିତ ଦୀନ ଦୟାଲଙ୍କ ୮୯ତମ ଜୟନ୍ତୀ ଅବସରରେ ଅନ୍ତ୍ୟୋଦୟ ଦିବସ ଘୋଷଣା କରାଯାଇଥିଲା । ଦୀନ ଦୟାଲ ହିଁ ଅନ୍ତ୍ୟୋଦୟ ସ୍ଲୋଗାନ ଦେଇଥିଲେ । ସମାଜର ଆର୍ଥିକ ଅନଗ୍ରସର, ଦୁର୍ବଳ ଏବଂ ପଛୁଆ ବର୍ଗର ଲୋକଙ୍କ ବିକାଶ ପାଇଁ ଏହି ସ୍ଲୋଗାନ ଦେଇଥିଲେ ଦୀନ ଦୟାଲ । ସେ କହୁଥିଲେ ଯେ, କୌଣସି ଦେଶ ନିଜ ମୂଳ ଲକ୍ଷ୍ୟରୁ ବିଚ୍ୟୁତି ହୋଇ କେବେ ନିଜର ବିକାଶ କରିପାରିବ ନାହିଁ । ପଣ୍ଡିତ ଦୀନ ଦୟାଲ ଜଣେ ସାହିତ୍ୟିକ, ଶିକ୍ଷାବିତ୍, ସମାଜସେବୀ, ରାଜନେତା, ଲେଖକ ବକ୍ତା ଏବଂ ସାମ୍ବାଦିକ ଭାବେ ସମାଜର ମାର୍ଗଦର୍ଶକ ଥିଲେ ।
1916 ମସିହା ଆଜିର ଦିନରେ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ଦୀନଦୟାଲ । ଅନାହାର, ଗରିବୀ, ଦୁଃଖ ଆଉ ଦୁର୍ଦ୍ଦଶାର ଦୟନୀୟ ଚିତ୍ରକୁ ଖୁବ ନିକଟରୁ ଦେଖିଛନ୍ତି ସେ । ତିନି ବର୍ଷ ବୟସରେ ପିତାଙ୍କୁ ଓ 7 ବର୍ଷ ବୟସରେ ମାତାଙ୍କୁ ହରାଇଥିଲେ । ସଂଘ ବିଚାରରେ ଅନୁପ୍ରାଣୀତ ଦୀନଦୟାଲ 1936 ମସିହାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘରେ କରିଥିଲେ ଯୋଗଦାନ । ଜଣେ ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ 1942ରେ ନିୟୋଜିତ ହୋଇଥିଲେ । ଆଉ ସେହିଦିନୁ ହିଁ ଦେଶ ପାଇଁ ଜୀବନକୁ ସମର୍ପି ଦେଇଥିଲେ ବ୍ରହ୍ମଚାରୀ ଦୀନଦୟାଲ ।
୧୯୫୩ ମହିହା ଜୁନ୍ ୨୩ ତାରିଖ । ଜନସଂଘର ସଭାପତି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜମ୍ମୁ କାଶ୍ମୀର ଜେଲରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ଏହାପରେ ଜନସଂଘର ଅଧକ୍ଷ ଭାବେ ଦାୟିତ୍ବ ନିର୍ବାହ କରିଥିଲେ ପଣ୍ଡିତ ଉପାଧ୍ୟାୟ । ଜଣେ ସୃଜନଶୀଳ ଲେଖକ, ପ୍ରବୀଣ ସାମ୍ବାଦିକ, ନିସ୍ବାର୍ଥପର ସମାଜସେବକ ଓ ନୀତିନିଷ୍ଠ ରାଜନୀତିଜ୍ଞ ଭାବରେ ଅର୍ଜନ କରିଛନ୍ତି ପରିଚୟ । 1968 ମସିହା 11 ତାରିଖରେ ମୋଗଲସରାୟ ରେଳ ଷ୍ଟେସନରୁ ମିଳିଥିଲା ତାଙ୍କର ମୃତଦେହ । ଯାହା ଆଜି ବି ସନ୍ଦିହାନ ହୋଇ ରହିଛି।