ଭୁବନେଶ୍ବର: ଭରତପୁର ଘଟଣାର ପୀଡ଼ିତାଙ୍କୁ ନେଇ ସାରା ଦେଶରେ ଚର୍ଚା ଲାଗି ରହିଥିବା ବେଳେ ମେଜର ଓ ତାଙ୍କ ବାନ୍ଧବୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସେଦିନର ଘଟଣା ମୁଖ୍ୟମନ୍ତ୍ରୀଙ୍କ ଆଗରେ କହିଛନ୍ତି । ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଜେଡି ମଧ୍ୟ ଆସନ୍ତାକାଲି ପାଇଁ ଦେଇଥିବା ହରତାଳ ଡାକରାକୁ ପ୍ରତ୍ୟାହାର କରିଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଆଣିଥିବା ଯୁବତୀ ତାଙ୍କ ବାପା ଓ ମେଜର ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବି ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପ୍ରତିନିଧି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ଭରତପୁର ଥାନା ଘଟଣାର ପୀଡ଼ିତା ବେଶ୍ ସନ୍ତୁଷ୍ଟ ଅଛନ୍ତି। ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଅନୁରୋଧ କରାଯାଇଥିଲା, ତାକୁ ସରକାର ରଖିଛନ୍ତି। ତେଣୁ ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ କରିଥିବା ସେ କହିଛନ୍ତି। ଏଥିନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।