ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ଅପରାହ୍ନ 4 ଟା 30 ରେ ଭେଟିବା ପାଇଁ କେଜ୍ରିଓ୍ବାଲ ଉପରାଜ୍ୟପାଳଙ୍କ ଅନୁମତି ଲୋଡ଼ିଛନ୍ତି । ସୂଚନାଯୋଗ୍ୟ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ତରଫରୁ ଜାମିନ ପାଇବା ପରେ କେଜ୍ରିଓ୍ବାଲ ଚଳିତମାସ 13 ରେ ତିହାର ଜେଲରୁ ମୁକୁଳିଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ସର୍ତ ଅନୁଯାୟୀ ଜାମିନରେ ଥିବାବେଳେ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ସଚିବାଳୟ ଯାଇପାରିବେନି । ଏଥିସହିତ ଉପରାଜ୍ୟପାଳଙ୍କ ବିନା ଅନୁମତିରେ କେଜ୍ରିଓ୍ବାଲ କୌଣସି ସରକାରୀ ଫାଇଲରେ ଦସ୍ତଖତ ମଧ୍ୟ କରିପାରିବେନି ବୋଲି କୁହାଯାଇଛି । ଏହି ପରିପ୍ରେକ୍ଷୀରେ 48 ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କେଜ୍ରିଓ୍ବାଲ ରବିବାର ଘୋଷଣା କରିଛନ୍ତି । ତେଣୁ ଉପରାଜ୍ୟପାଳଙ୍କୁ ଭେଟି କେଜ୍ରିଓ୍ବାଲ ନିଜର ଇସ୍ତଫା ପତ୍ର ଦାଖଲ କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ସୁପ୍ରିମକୋର୍ଟରୁ ନ୍ୟାୟ ମିଳିଥିଲେ ସୁଦ୍ଧା ଦିଲ୍ଲୀବାସୀ ଯେପର୍ଯ୍ୟନ୍ତ ତାଙ୍କୁ ନିର୍ଦୋଷ ପ୍ରମାଣପତ୍ର ଦେଇନାହାନ୍ତି, ସେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ ବୋଲି କେଜରିଓ୍ବାଲ ସ୍ପଷ୍ଟ କରିଛନ୍ତି । କେଜରିଓ୍ବାଲ ଇସ୍ତଫା ଦେଲେ ଆପ ମନ୍ତ୍ରୀ ଅତିଶୀ , କୈଳାସ ଗେହଲଟ , ସୌରଭ ଭରଦ୍ବାଜ କିମ୍ବା କେଜରିଓ୍ବାଲ ପତ୍ନୀ ସୁନିତାଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।