ଡରୁଛି ଚୀନ, ଭାରତର କଡ଼ା ନିର୍ଦେଶ ପରେ ପୂର୍ବ ଲଦାଖର 4 ଟି ସ୍ଥାନରୁ ସେନା ପ୍ରତ୍ୟାହାର କରିଛି । ଗଲଓ୍ବାନ ଭ୍ୟାଲିରୁ ହଟିଛି । ଚୀନ ପୂର୍ବ ଲଦାଖର 4 ଟି ସ୍ଥାନରୁ ସେନା ପ୍ରତ୍ୟାହାର କରିଥିବା ନେଇ ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦୁଇ ଦେଶ ମଧ୍ୟରେ ଏହାକୁ ନେଇ ଅନେକ ଦିନ ଧରି ତିକ୍ତ ସଂପର୍କ ରହିଥିଲା । ଏବେ ଚୀନ ନିଜ ଜିଦରୁ ଓହରିଛି ।
ବିଦେଶ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଜେନେଭାରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଚୀନ ସହ ଥିବା ସେନା ପ୍ରତ୍ୟାହାର ସମସ୍ୟାର 75 ପ୍ରତିଶତ ସମାଧାନ ହୋଇଛି ଏବଂ ଭାରତ – ଚୀନ ସୀମା ଆଲୋଚନାରେ ଅଗ୍ରଗତି ହୋଇଛି । ଆଗାମୀ ଦିନରେ ଅନେକ ସମସ୍ୟା ଆଲୋଚନା ମାଧ୍ୟମରେ ସମାଧାନ କରାଯିବ । ତେବେ ଏଥିପାଇଁ ପଡୋଶୀକୁ ଉତ୍ତମ ବାତାବରଣ ସୃଷ୍ଟି କରିବାକୁ ପଡ଼ିବ ।
ଜୟଶଙ୍କରଙ୍କର କଥାକୁ ମାନିଛି ଟିମ୍ । ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ନିକଟରେ ରୁଷରେ ହୋଇଥିବା ବୈଠକ ସମୟରେ ଉଭୟ ଭାରତ ଓ ଚୀନ ସେମାନଙ୍କ ଦ୍ବିପାକ୍ଷିକ ସମ୍ପର୍କରେ ସୁଧାର ଦିଗରେ ପୁଣି କାମ ଆରମ୍ଭ କରିଛନ୍ତି । ଡ଼ୋଭାଲ ଏବଂ ଚୀନ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ସି ବ୍ରିକ୍ସ ସମ୍ମିଳନୀ ଅବସରରେ କଥା ହୋଇଥିଲେ । ଭାରତ – ଚୀନ ସୀମା ବିବାଦ ସଂକ୍ରାନ୍ତରେ ଆଲୋଚନା ପାଇଁ ଡ଼ୋଭାଲ ଏବଂ ଓ୍ବାଙ୍ଗ ଉଭୟ ରାଷ୍ଟ୍ରର ସ୍ବତନ୍ତ୍ର ପ୍ରତିନିଧି ଭାବେ ଆଲୋଚନା କରିଥିଲେ । ଭାରତ – ଚୀନ ସୀମାରେ ଏବେ ସବୁକିଛି ନିୟନ୍ତ୍ରଣରେ ରହିଛି ବୋଲି ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ।