mining revenue କେଉଁଠି ଶହ ଶହ କୋଟି କେଉଁଠି ହଜାର ହଜାର କୋଟି ଟଙ୍କା କ୍ଷତି ସହିଛନ୍ତି ସରକାର । ଖଣି ଦୁର୍ନୀତି ରାଜ୍ୟରେ କମିନି ବରଂ ବଢ଼ିଛି । ଗତ ଦଶ ବର୍ଷରେ ଅଧିକ ଖଣି ଦୁର୍ନୀତି ହୋଇଛି । କେଉଁଠି ଅଧିକ ଖଣି ଉତ୍ତୋଳନ ହୋଇଛି । କେଉଁଠି ନିମ୍ନମାନର କୁହାଯାଇ ଠକିବା ପାଇଁ ବେନିୟମ କାର୍ଯ୍ୟ କରିଛି । ସିଏଜିଙ୍କ ଅଡିଟରୁ ଏଭଳି କିଛି ତଥ୍ୟ ପଦାକୁ ଆସିଛି । ଆଉ ସିଏଜି ଯେଉଁ କିଛି ନମୂନା ଯାଂଚ କରିଛନ୍ତି ସେଥିରୁ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ୨୨,୩୯୨.୫୧କୋଟି ଟଙ୍କାର ଖଣି ରାଜସ୍ୱ କ୍ଷତି ହୋଇଥିବା ଆକଳନ କରିଛନ୍ତି । କେଉଁଠି ନିୟମ ଉଲ୍ଲଘଂନ କରି ଲିଜ୍ ପ୍ରଦାନ ଓ ଲିଜ୍ ଅବଧି ବଢ଼ାଯାଇଛି ତ କେଉଁଠି ଲୁହାପଥରର ଗୁଣ୍ଡକୁ ସ୍କ୍ରିନଡ୍ ଫାଇନ୍ସ ଦର୍ଶାଯାଇଛି ।
ସିଏଜିଙ୍କ ଅଡିଟରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ସରକାର ଖଣି ବ୍ୟବସାୟୀଙ୍କ ସହ ସଲାସୁତରା କରି ରାଜ୍ୟ ରାଜକୋଷକୁ ଲୁଟିବା ପାଇଁ ସୁଯୋଗ ସୃଷ୍ଟି କରିଥିଲେ । ଆଉ ରାଜ୍ୟରେ ଖଣି ଲିଜଧାରୀମାନେ ମନଇଚ୍ଛା ଆଇନକୁ ଫାଙ୍କି ଓଡ଼ିଶାର ଖଣିଜସମ୍ପଦ ଲୁଟ୍ କରିଛନ୍ତି
ଲୁହାପଥର ଗୁଣ୍ଡକୁ ସ୍କ୍ରିନଡ୍ ଫାଇନସ୍ ବୋଲି ଦର୍ଶାଯାଇଛି । ଏ କ୍ଷେତ୍ରରେ ପ୍ରାୟ ୫୮୪୧.୮୦କୋଟି ଟଙ୍କାର ରୟାଲିଟି ଓ ପ୍ରାୟ ୪୪୫୨.୪୪କୋଟି ଟଙ୍କାର ପ୍ରିମିୟମ ସହିତ ମୋଟ ୧୦,୨୯୪.୨୪କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି । କେବଳ ଅଧିକ ରୟାଲିଟି ଓ ପ୍ରିମିୟମକୁ ଏଡ଼ାଇବା ପାଇଁ ଲିଜଧାରୀମାନେ ଲୁହାପଥର ଗୁଣ୍ଡର ଗ୍ରେଡକୁ ନିମ୍ନମାନର ଦର୍ଶାଇବାକୁ ପଛାଇ ନାହାନ୍ତି । ଯାହାକି ରାଜସ୍ୱ କ୍ଷତି କରାଇଛି । ସିଏଜି ତାଙ୍କ ଅଡିଟରେ ଦର୍ଶାଇଛନ୍ତି ଯେ, ୨୦୦୭-୨୦୧୦ ମସିହା ମଧ୍ୟରେ ଯୋଡ଼ା ସର୍କଲରେ ଥିବା ଗୋଟିଏ ଖଣିରେ ସ୍କ୍ରିନଡ୍ ଫାଇନସ୍ ଉତ୍ତୋଳନ ମାତ୍ର ୭ ପ୍ରତିଶତ ଥିବାବେଳେ ଏବେ ଖଣିରେ ଉକ୍ତ ପରିମାଣ ୮୬ପ୍ରତିଶତକୁ ବୃଦ୍ଧି ପାଇଛି । ୮ଟି ନିଲାମ ହୋଇଥିବା ଖଣିର ତଥ୍ୟକୁ ଯାଂଚବେଳେ ଜଣାପଡ଼ିଛି ଯେ, ୫ଟି ଖଣିରେ ପୁରୁଣା ଲିଜଧାରୀଙ୍କ ତୁଳନାରେ ନୂଆ ଲିଜଧାରୀଙ୍କ ରିପୋର୍ଟରେ ଲୁହା ଖଣ୍ଡର ଅନୁପାତ ହ୍ରାସ ଓ ଲୁହା ଗୁଣ୍ଡର ପରିମାଣ ବୃଦ୍ଧି ହୋଇଛି ।
ସିଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଖଣିଜ ପଦାର୍ଥର ଉତ୍ତୋଳନ ପାଇଁ ଖଣି ଲିଜ, ପରମିଟ, ଲାଇସେନ୍ସ ମିଆଦ ବୃଦ୍ଧି ଓ ଅନୁମୋଦନ, ଲିଜଧାରୀଙ୍କ ଦ୍ୱାରା ଖଣିଜ ପଦାର୍ଥର ପ୍ରେରଣ ଓ ବିକ୍ରି ରିପୋର୍ଟ, ନିୟମ ଓ ଅନ୍ୟାନ୍ୟ ବ୍ୟବସ୍ଥା ଅନୁସାରେ ଖଣି ଗତିବିଧିର ନିୟନ୍ତ୍ରଣ, ଖଣି ରାଜସ୍ୱର ଆକଳନ ଓ ଆଦାୟ ଏବଂ ଆଭ୍ୟନ୍ତରୀଣ ନିୟନ୍ତ୍ରଣ ଆଦିର ସମୀକ୍ଷାବେଳେ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ୨୨,୩୯୨.୫୧କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି । ନିଲାମ ହୋଇଥିବା ନୂଆ ଖଣିଗୁଡ଼ିକରୁ ଉତ୍ତୋଳିତ ଖଣିଜ ପଦାର୍ଥର ଗ୍ରେଡ୍ ବର୍ଷେ କିମ୍ବା ଦୁଇବର୍ଷ ମଧ୍ୟରେ ହଠାତ୍ ହ୍ରାସ ପାଇଥିଲା । ଯାହାକି ଅତ୍ୟନ୍ତ ଅସମ୍ଭବ ବୋଲି ସିଏଜି କହିଚନ୍ତି ।
ଉଚ୍ଚ ଗ୍ରେଡ୍ ଉପରେ ଅଧିକ ରୟାଲିଟି ଓ ପ୍ରିମିୟମକୁ ଏଡ଼ାଇବା ପାଇଁ ନୂଆ ଖଣି ଲିଜଧାରୀମାନେ ଉତ୍ପାଦିତ ଲୁହାପଥରର ଗ୍ରେଡକୁ ଭୁଲ୍ ରିପୋର୍ଟ ଆକାରରେ ଦର୍ଶାଇଥିଲେ । ୬ଟି ନମୂନା ଯାଂଚ ଖଣି କ୍ଷେତ୍ରରେ ପୁରୁଣା ଲିଜଧାରୀଙ୍କ ରିପୋର୍ଟ ଅନୁସାରେ ଉତ୍ତୋଳନ କ୍ଷେତ୍ରରେ ସୁସଙ୍ଗତ ଢାଂଚା ତୁଳନାରେ ନିଲାମ ପରେ ଉତ୍ତୋଳିତ ଲୁହା ଖଣ୍ଡ ଓ ଗୁଣ୍ଡର ଗ୍ରେଡରେ ଆକାରରେ ପରିବର୍ତ୍ତନ ଯୋଗୁ ୨୦୨୦-୨୧ ଓ ୨୦୨୧-୨୨ ମସିହାରେ କମ୍ ରୟାଲିଟି ଓ ପ୍ରିମିୟମ(ନିଲାମ ପରବର୍ତ୍ତୀ) ପ୍ରାୟ ୪୧୬୨.୭୭କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ।