ଚାଇନାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି । ମ୍ୟାଚ୍କୁ ଭାରତ ୨-୧ରେ ଜିତି ନିଜର ଅପରାଜେୟ ଧାରା ଜାରି ରଖିଛି। ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନକୁ ହରାଇ ସେମି ଫାଇନାଲ ଖେଳିବାକୁ ଯାଉଛି ଭାରତ । ଭାରତ ଆୟୋଜକ ଚାଇନା, ପରେ ଜାପାନ, ତୃତୀୟ ମ୍ୟାଚ୍ରେ ମାଲେସିୟା ଓ ୪ର୍ଥ ମ୍ୟାଚରେ କୋରିଆକୁ ପରାଜିତ କରିଥିଲା। ମ୍ୟାଚ୍ର ୮ମ ମିନିଟରେ ନଦୀମ ଅହମଦ ଗୋଲ ପ୍ରଥମେ ଭାରତ ବିପକ୍ଷରେ ଗୋଲ୍ ସ୍କୋର କରିଥିଲେ । ମ୍ୟାଚ୍ର ୧୩ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ସ୍ଥିତି ୧-୧୧ କରି ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ଆଟାକିଂ ଖେଳ ଦେଖାଇଥିଲା। ୧୯ତମ ମିନିଟରେ ଦଳକୁ ପୁଣି ଏକ ପିସି ମିଳିଥିଲା। ଏଥର ମଧ୍ୟ ହରମନପ୍ରୀତ ସିଂହ କମାଲ କରିଥିଲେ। ସେ ଗୋଲ ସ୍କୋର କରିବାରୁ ଭାରତ ପ୍ରଥମଥର ପାଇଁ ମ୍ୟାଚ୍ରେ ଲିଡ ହାସଲ କରିଥିଲା।
ତୃତୀୟ କ୍ୱାର୍ଟରରେ ପାକିସ୍ତାନ ମିଡ୍ ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରି ଭାରତର ଡି’ ଭିତରରେ ବାରମ୍ବର ପ୍ରବେଶ କରିଥିଲା। ଦଳକୁ ଏକାଧିକ ପିସି ମଧ୍ୟ ମିଳିଥିଲା। ହେଲେ ଗୋଲ କିପର କିଷନ ବାହାଦୂର ପାଠକ ଚମତ୍କାର ଢଙ୍ଗରେ ପାକିସ୍ତାନର ସବୁ ଉଦ୍ୟମରେ ପାଣି ପକାଇ ଦେଇଥିଲେ।
ମ୍ୟାଚ ସରିବାକୁ ୧୦ ମିନିଟ ବାକି ଥିବା ବେଳେ ପାକିସ୍ତାନର ଅଶରଫ ରାଣା ଡି’ ମଧ୍ୟରେ ଭାରତର ଯୁଗରାଜ ସିଂହଙ୍କୁ ବିପଦଜନକ ଭାବେ ଧକ୍କା ଦେଇଥିଲେ। ଏଥିଯୋଗୁ ବେଶ କିଛି ସମୟ ଟକ୍କରାଟକ୍କରି ସ୍ଥିତି ଦେଖିବାକୁ ମିଳିଥିଲା। ରେଫରୀ ଧକ୍କା ମାରିଥିବା ରାଣାଙ୍କୁ ୧୦ ମିନିଟ ପାଇଁ ବେଞ୍ଚରେ ବସାଇଥିଲେ। ପାକିସ୍ତାନକୁ ଶେଷ ୧୦ ମିନିଟ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିବାକୁ ପଡ଼ିଥିଲା।