ସମୟଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଆମେରିକା ରାଜନୀତିରେ ଏବେ ସେ ସକ୍ରିୟ । ସେ ହେଉଛନ୍ତି ଓଡ଼ିଆ ପୁଅ ସମୟ ସାହୁ । ବର୍ତମାନ ଡ଼େମୋକ୍ରାଟିକ ଦଳ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପାଇଁ ପ୍ରଚାର କରୁଛନ୍ତି । ତାଙ୍କର ବେଶ ସୁନାମ ରହିଛି । ମାତ୍ର 21 ବର୍ଷ ବୟସରେ ପ୍ରଚାର ମଙ୍ଗ ଧରି ଦୃଢତାର ସହ ଡ଼େମୋକ୍ରାଟିକ ଦଳର ବାର୍ତା ଜନତାଙ୍କ ସମ୍ମୁଖରେ ରଖୁଛନ୍ତି । ହାଇସ୍କୁଲ ସମୟରୁ ସେ ରାଜନୀତି ପ୍ରତି ଆକୃଷ୍ଟ ଅଛନ୍ତି । ପରିବାର ସହ ସେ ଆମେରିକାରେ ରହୁଛନ୍ତି । ତାଙ୍କ ବାପାଙ୍କ ସହ ସେ ଆମେରିକା ରାଜନୀତିରେ ସାମିଲ ଅଛନ୍ତି ।
ଚଳିତବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଥିବାରୁ ଦଳ ତାଙ୍କୁ ପ୍ରାର୍ଥୀ କମଳା ହାରିସଙ୍କ ପ୍ରଚାର ମଙ୍ଗ ଧରିବାକୁ ଦାୟିତ୍ବ ଦେଇଛି । କମଳା ମଧ୍ୟ ସମୟଙ୍କ ସଂସ୍ପର୍ଶରେ ଆସିବା ପରେ ରାଜନୈତିକ ଜୀବନ ଓ ସାଙ୍ଗଠନିକ ଦକ୍ଷତା ବିଷୟରେ ଅବଗତ ହୋଇ ପ୍ରଶଂସା କରିଛନ୍ତି ।
2008 ମସିହାରେ ଡ଼େମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ବାରାକ ଓବାମାଙ୍କ ଭାଷଣରେ ପ୍ରଭାବିତ ହୋଇଥିଲେ ସମୟ । ପୁଅର ଏଭଳି ଆଗ୍ରହ ଦେଖି ଆମେରିକାର ଇତିହାସ ଏବଂ ରାଜନୀତି ବିଷୟରେ ଜାଣିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେଇଥିଲେ ମାନସ । ତାଙ୍କ ନେତୃତ୍ବ ଦକ୍ଷତା ଏବଂ ଭାଷଣ ଶୈଳୀ ଦେଖି ଡ଼େ ମୋକ୍ରାଟିକ ପାର୍ଟି ମଧ୍ୟ ତାଙ୍କୁ ସୁଯୋଗ ଦେଇଥିଲା । ଯାହାଫଳରେ 2012 ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଏବଂ ରାଲିରେ ଛାତ୍ର ଦଳର ନେତୃତ୍ବ ନେଇଥିଲେ ସମୟ । 2020 ମସିହାରେ ଦଳୀୟ ରାଜନୀତିରେ ପ୍ରବେଶ କରିଥିଲେ ।
ସମୟ ମୟୁରଭଞ୍ଜ ଜିଲ୍ଲାର ମୂଳବାସିନ୍ଦା । ତେବେ ବାପା ମାନସ ସାହୁ କିଛି ବର୍ଷ ପାଇଁ ରାୟଗଡ଼ା ଜିଲ୍ଲାର ଚାକିରି କରିଥିଲେ । ଆମୋରିକାରେ ଚାକିରି ପାଇବାରୁ ମାନସ ପରିବାର ସହ ଭାରତ ଛାଡ଼ିଥିଲେ । ବର୍ତମାନ ପରିବାର ସହ ସମୟ ନ୍ୟୁ ହାମସାୟର ରାଜ୍ୟର ନାସୁଆ ସହରରେ ରହୁଛନ୍ତି ।
2022-23 ରେ ଡ଼େମୋକାଟ୍ରିକ ପାର୍ଟି ପକ୍ଷରୁ ହାଇସ୍କୁଲ ଡ଼େମୋକ୍ରାଟ ଅଫ ଆମେରିକାର ନ୍ୟାସନାଲ ଚେୟାରମ୍ୟାନ ଭାବେ ତାଙ୍କୁ ମନୋନୀତ କରାଯାଇଥିଲା ।