ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ଗରିବ ପରିବାରକୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିଥାଏ । କିନ୍ତୁ ଏବେ ବରିଷ୍ଠ ନାଗରିକଙ୍କୁ ଏହି ସୁବିଧା ମିଳିବ । ସରକାର ବରିଷ୍ଠ ନାଗରିକ ପାଇଁ ଖୁସି ଖବର ଆଣିଛନ୍ତି । ବର୍ଷ ବର୍ଷ ଧରି ବରିଷ୍ଠମାନେ ଯାହା ଆଶା କରୁଥିଲେ ଏବେ ତାହା ପୂରଣ ହେବାକୁ ଯାଉଛି । ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଏବେ ମାଗଣା ମିଳିବ ସ୍ବାସ୍ଥ୍ୟସେବା । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଭାରତ ଯୋଜନା) ଅଧୀନରେ ଦେଶର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ଦେଶର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। ଯାହାର ଲାଭ ଦେଶର କୋଟି କୋଟି ବରିଷ୍ଠ ନାଗରିକ ପାଇବେ। ଏଥିପାଇଁ ପ୍ରଥମେ ଆବେଦନ କରିବାକୁ ପଡ଼ିବ। ଅନଲାଇନ୍ ପୋର୍ଟାଲ, ଆୟୁଷ୍ମାନ ମିତ୍ର ଆପ୍ ଜରିଆରେ ଆୟୁଷ୍ମାନ କାର୍ଡ ପାଇଁ ଆବେଦନ କରିପାରିବେ ବରିଷ୍ଠ ନାଗରିକ। ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଆବେଦନ କରିଥିବା ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ଯୋଗାଇ ଦିଆଯିବ।
୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ ଏହି ଯୋଜନାର ଲାଭ ପାଇବେ, ସେମାନେ ଗରିବ ପରିବାରର ହୁଅନ୍ତୁ କି ଧନୀ ଏବଂ ଯେତେ ରୋଜଗାର ହେଉ ନା କାହିଁକି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସାରା ଦେଶରେ ୬ କୋଟି ବରିଷ୍ଠ ନାଗରିକ ଏହି ଯୋଜନାର ଲାଭ ପାଇବେ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଆୟୁଷ୍ମାନ ଇଣ୍ଡିଆ ପିଏମ୍ ଜନ ଆରୋଗ୍ୟ ଯୋଜନା ଅଧୀନରେ ବରିଷ୍ଠ ନାଗରିକମାନେ ମାଗଣା ଚିକିତ୍ସା ସୁବିଧା ପାଇବେ ।