ସିମଲା ମସଜିଦ ବିବାଦ ବଢ଼ିବା ପରେ ମସଜିଦ ଭାଙ୍ଗିବାକୁ ରାଜି ହୋଇଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକ । ବିବାଦିତ ମସଜିଦର ଅବୈଧ ଅଂଶକୁ ଭାଙ୍ଗିବା ପାଇଁ ସେମାନେ ରାଜି ହୋଇଛନ୍ତି। ମୁସଲିମ୍ ପକ୍ଷ ମସଜିଦର ଅବୈଧ ଅଂଶକୁ ଭାଙ୍ଗିବା ପାଇଁ ନଗର ନିଗମକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ହିନ୍ଦୁ ସଂଗଠନମାନେ ଆନ୍ଦୋଳନ କରିବା ପରେ ମୁସଲିମ ପକ୍ଷ କହିଛନ୍ତି ଯେ ନିଜେ ଅବୈଧ ଅଂଶକୁ ଭାଙ୍ଗିଦେବେ। ମସ୍ଜିଦ ସମିତିର ପ୍ରତିନିଧି ଆଜି ସିମଲା ନଗର ନିଗମ ଆୟୁକ୍ତ ଭୂପେନ୍ଦ୍ର କୁମାର ଅତ୍ରୀଙ୍କୁ ସାକ୍ଷାତ କରିବା ଅବୈଧ ଅଂଶ ଭାଙ୍ଗିବା ପାଇଁ ପତ୍ର ଦେଇଛନ୍ତି। ଏଥିସହିତ ନିଜେ ଅବୈଧ ଅଂଶକୁ ଭାଙ୍ଗିବା ପାଇଁ କହିଛନ୍ତି ମୁସଲିମ୍ ପକ୍ଷ।
ମସଜିଦ ନିର୍ମାଣ ହେଉଥିବା ଦାବି କରି କିଛି ହିନ୍ଦୁ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ହିମାଚଳ ସରକାର ସଞ୍ଜୌଲି ଅଞ୍ଚଳରେ କଟକଣା ଲଗାଇଥିଲେ। ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଯାଇଥିଲା। ହେଲେ ବିକ୍ଷୋଭକାରୀମାନେ ଏହାକୁ ହଟାଇ ଧାଲ୍ଲି ଟନେଲରେ ପ୍ରବେଶ କରିଥିଲେ। ଏହି ଟନେଲ ସଞ୍ଜୌଲି ଅଞ୍ଚଳକୁ ସଂଯୋଗ କରୁଛି। ବିକ୍ଷୋଭକାରୀମାନେ ଟନେଲ ଦେଇ ନିର୍ମାଣ ଚାଲିଥିବା ମସଜିଦ ଆଡ଼କୁ ଯିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା।