ଆଜି ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ। ଚଳିତ ବର୍ଷର ଥିମ ରହିଛି ଚେଞ୍ଜିଂ ଦି ନ୍ୟାରେଟିଭ ଅନ ସୁଇସାଇଡ଼ । ସରକାରୀ ତଥ୍ୟ ଅନୁଯାୟୀ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବାବେଳେ ଏଥିରେ କିପରି ବ୍ରେକ ଲାଗିବ ସେ ଦିଗରେ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ଉଦ୍ୟମ କରାଯାଉଛି ।ସବୁଠାରୁ ବଡ଼ ଚିନ୍ତାର ବିଷୟ ସମାଜ ଦିନକୁ ଦିନ ଯେତେ ଶିକ୍ଷିତ , ସଚେତନ ଓ ଆଧୁନିକ ହେଉଛି ଲୋକଙ୍କ ମଧ୍ୟରେ ସେତେ ବଢିଚାଲିଛି ଆତ୍ମହତ୍ୟା ପ୍ରବଣତା । ଖାସ କରି ଯୁବପୀଢୀଙ୍କ ମଧ୍ୟରେ ବଢୁଥିବା ଆତ୍ମହତ୍ୟା ପ୍ରବଣତା ଆମ ସମାଜ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆତ୍ମହତ୍ୟା ବିରୋଧରେ ସଚେତନତା ସୃଷ୍ଟି ପାଇଁ 2003 ମସିହା ପରଠାରୁ ପ୍ରତିବର୍ଷ ସେପ୍ଟେମ୍ବର 10 ତାରିଖରେ ପାଳନ ହେଉଛି ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ । ସେପଟେ ମନସ୍ତତ୍ତ୍ବବିତଙ୍କ ମତରେ ବିଭିନ୍ନ ପ୍ରକାର ଚାପ , ମାନସିକ ଅବସାଦ ପାରିବାରିବ ଓ ଆର୍ଥିକ ସମସ୍ୟା , ପ୍ରେମ ଓ ନିଶା ଆଦି ଆତ୍ମହତ୍ୟା ପଛର କେତେକ ପ୍ରମୁଖ କାରଣ । ତେବେ ଏହାକୁ ରୋକିବାକୁ ଏଂଗଜାଇଟି ଓ ଡ଼ିପ୍ରେସନ ଆଦିର ସଠିକ ସମୟରେ ଚିହ୍ନଟ ଓ ଚିକିତ୍ସା ହେବା ଆବଶ୍ୟକ । ଚିନ୍ତାଗ୍ରସ୍ତ ରହୁଥିବା ଲୋକମାନେ ପରିବାର ସଦସ୍ୟ ବା ବନ୍ଧୁ ଙ୍କ ସହ ମନଖୋଲି କଥା ହେବା ଉଚିତ । କେହି ବି ଆତ୍ମହତ୍ୟାକୁ ସମସ୍ୟା ସମାଧାନ ର ଶେଷ ବିକଳ୍ପ ନଭାବି ଜୀବନକୁ ସାହସର ସହ ସାମ୍ନା କରିବା ଦରକାର । ଅଭିଭାବକମାନେ ପିଲା ମାନଙ୍କୁ ଛୋଟ ବେଳୁ କିପରି ବିଫଳତାକୁ ସାମ୍ନା କରାଯାଏ , ସମସ୍ୟା ସହ କିପରି ଲଢିବାକୁ ପଡ଼େ ତାହା ଶିଖାଇବା ନିହାତି ଦରକାର ।