ନିର୍ଦ୍ଧାରିତ ସମୟରେ ମା’ଙ୍କ ପାଖରେ ଲାଗିହୋଇଛି ନବାନ୍ନ । ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରକ ଶୁକ୍ଳ ପଞ୍ଚମୀ ତିଥିରେ (ଗଶେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଢୋଲ , ବାଜାରେ ଦୁଲୁକୁଛି ମା’ଙ୍କ ମନ୍ଦିର ପରିସର। ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତରେ ଯାଇ ମା’ ସମଲେଇଙ୍କ ଦର୍ଶନ କରି ରାଜ୍ୟ ତଥା ରାଜ୍ୟବାସୀଙ୍କର ମଙ୍ଗଳ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଗଣ ମା’ଙ୍କ ଦର୍ଶନ କରି ଆଶିର୍ବାଦ କାମନା କରିଛନ୍ତି ।
ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇକୁ ମହାନ ଲୋକପର୍ବ କହିବା ସହ ଏହା ଆମ ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଲି ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପଶ୍ଚିମ ଓଡ଼ିଶାର ପ୍ରମୁଖ ଦେବୀ ଯଥା ମା’ ସମଲେଶ୍ୱରୀ, ମା’ ପାଟଣେଶ୍ୱରୀ, ମା’ ସୁରେଶ୍ୱରୀ, ମା’ ରାମଚଣ୍ଡୀ ଓ ମା’ ବିନ୍ଧ୍ୟବାସିନୀଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ ବୋଲି ସେ ପ୍ରାର୍ଥନା କରିଥିବା ତାଙ୍କ ସାମାଜିକ ଗଣମାଧ୍ୟମର ପୋଷ୍ଟ ମାଧ୍ୟମରେ କହିଛନ୍ତି। ନୂଆଁଖାଇ ଜୁହାର୍ ଜଣାଇବା ସହ ରାଜ୍ୟବାସୀଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି।
ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇଛି ପଶ୍ଚିମ ଓଡ଼ିଶା । ଘରେଘରେ ନୂଆ ଖାଉଛନ୍ତି ପଶ୍ଚିମ ଓଡ଼ିଶାବାସୀ । ନୂଆଁଖାଇ ମାଟି ମା’ର ପର୍ବ । ବହୁ ଆଡ଼ମ୍ବରରେ ପଶ୍ଚିମ ଓଡ଼ିଶାର ଘରେ ଘରେ ନୂଆଁଖାଇ ପର୍ବ ପାଳିତ ହୋଇଥାଏ । କୃଷିଭିତ୍ତିକ ଏହି ପର୍ବ ଚାଷୀ ପରିବାରରେ ନୂଆ ଆନନ୍ଦ ଆଣିଦେଇ ଥାଏ। ସମସ୍ତେ ବର୍ଷକର ଦୁଃଖକଷ୍ଟ ଭୁଲି ପର୍ବରେ ସାମିଲ ହୁଅନ୍ତି। ଏକାଠି ହୋଇ ଉତ୍ସବ କରି ଏକତାର ସୂତ୍ରରେ ବାନ୍ଧି ହେବାପାଇଁ ଅବସରଟିଏ ଦେଇଥାଏ ଏହି ପର୍ବ। ନୂଆଁଖାଇକୁ ନବାନ୍ନ ଭକ୍ଷଣ ମଧ୍ୟ କୁହାଯାଏ।