ଦେଶର ଦୁଇ ଅଲିମ୍ପିୟାନ କଂଗ୍ରେସରେ ମିଶିଛନ୍ତି । ଷ୍ଟାର ରେସଲର ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ କଂଗ୍ରେସରେ ମିଶିବା ପରେ ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଭିନେଶ ହାତ ଧରିବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ହରିୟାଣାର ଜୁଲାନା ଆସନରୁ କଂଗ୍ରେସ ପ୍ରାର୍ଥୀ କରିଛି। ହରିୟାଣା ବିଜେପିର ବରିଷ୍ଟ ନେତା ଅନୀଲ ବିଜ ଭିନେଶଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଯଦି ସେ ଦେଶର ଝିଅ ବଦଳରେ କଂଗ୍ରେସର ଝିଅ ହେବାକୁ ଚାହୁଁଛନ୍ତି, ତା’ହେଲେ ଆମର ଅସୁବିଧା ନାହିଁ । ତାଙ୍କର କାମ ଆଗରୁ କଂଗ୍ରେସ ପ୍ରତି ସମର୍ଥନ ଥିଲା । ତାଙ୍କୁ କଂଗ୍ରେସ କାମରେ ଲଗାଇ ବିଜେପି ବିରୋଧରେ କାର୍ଯ୍ୟ କରୁଥିଲା ।
ପ୍ରଥମ ଦିନରୁ କଂଗ୍ରେସ ଏହି ଖେଳାଳିମାନଙ୍କୁ ନିଜ ସହ ସାମିଲ କରିଥିଲା । କେବଳ ମିଡିଆ ଟ୍ରାଏଲ କରାଯାଉଥିଲା । କଂଗ୍ରେସ ଉସକାଇବା ଯୋଗୁ ରେସଲରମାନେ ବିଜେପି ନେତାଙ୍କ ବିରୋଧରେ ବୟାନବାଜି କରୁଥିଲେ । ଯଦି କଂଗ୍ରେସ ଉସକାଇ ନଥାଆନ୍ତା, ତା’ହେଲେ ଏହି ପ୍ରସଙ୍ଗ କେବେ ଠାରୁ ଶେଷ ହୋଇସାରନ୍ତାଣି ।
ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ ଷ୍ଟାର ଖେଳାଳି କଂଗ୍ରେସରେ ମିଶିଛନ୍ତି । ଏହା ବିଜେପିକୁ କ୍ଷତି କରିବ କି ଲାଭ କରିବ ତାହା ସମୟ କହିବ । ଏସବୁ ଭିତରେ ଭିନେଶ ଓ ବଜରଙ୍ଗଙ୍କ ମିଶ୍ରଣକୁ ନେଇ ବଡ଼ ବୟାନ ଦେଇଛି ବିଜେପି। ଗଣତନ୍ତ୍ରରେ ଯେକୌଣସି ଲୋକ ରାଜନୀତିରେ ଯୋଗ ଦେଇପାରିବେ ବୋଲି ବିଜେପି କହିଛି। ଭିନେଶ ଓ ବଜରଙ୍ଗ କଂଗ୍ରେସରେ ମିଶିବା ପରେ ବ୍ରିଜ ଭୂଷଣ ସେମାନେ କରିଥିବା ବିକ୍ଷୋଭ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ବୋଲି କହିଛନ୍ତି।
ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଯେକୌଣସି ଲୋକ ରାଜନୀତିରେ ମିଶି ପାରିବେ। କିନ୍ତୂ ସେମାନେ ପୂର୍ବରୁ ଯେଉଁଭଳି ଆଚରଣ କରୁଥିଲେ ଏଥିରୁ ତାହା ପ୍ରମାଣିତ ହୋଇଛି ସେମାନେ କଂଗ୍ରେସର କଥାରେ କାମ କରୁଥିଲେ ।