ପ୍ରାୟ ଦେଢ଼ବର୍ଷ ହେଲା ମୋତେ ଦଳରେ ଅଣଦେଖା କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟକ୍ରମରେ ମୋତେ ସାମିଲ କରାଯାଉନଥିଲା। କଳାହାଣ୍ଡିର ଯେତିକି ବିକାଶ ହେବା କଥା, ହୋଇ ପାରିନାହିଁ। କଳାହାଣ୍ଡିରୁ ହଜାର ହଜାର କୋଟି ଟଙ୍କା ଲୁଟ ହୋଇଛି ବୋଲି କହିଛନ୍ତି ବିଜେପିରେ ମିଶିଥିବା ରାଜ୍ୟସଭା ସାଂସଦ ସୁଜିତ କୁମାର । ସୁଜିତଙ୍କ ଇସ୍ତଫା ପରେ ରାଜ୍ୟସଭାରେ ବିଜେଡିର ସଦସ୍ୟ ସଂଖ୍ୟା ୭କୁ ଖସିଆସିଛି।
ବିଜେଡିରୁ ଇସ୍ତଫା ଦେଇ ସେ କହିଛନ୍ତି ବିଜେଡି ସରକାର ସମୟରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ହୋଇଛି। କିଛି ଅସାଧୁ ବେପାରୀ, ସରକାରୀ କର୍ମଚାରୀଙ୍କୁ ସମର୍ଥନ ଦେଉଥିଲେ ଏସବୁ କରିବା ପାଇଁ । ବିଜେଡିର କିଛି ନେତା ଦୁର୍ନୀତିରେ ସାମିଲ ହୋଇଛନ୍ତି। ଆଦିବାସୀମାନଙ୍କ ଜମି ହଡ଼ପ କରି ନିଆଯାଇଛି । ବିଷାକ୍ତ ଛତୁଆ, ଟେଣ୍ଡର ଫିକ୍ସିଂ ଚାଲିଛି । ବାଲିମାଫିଆଙ୍କର ସହ ବିଜେଡି ନେତା ମିଶି ଦୁର୍ନୀତି କରୁଥିଲେ ବୋଲି ସେ କହିଛନ୍ତି ।
ବିଜେପିରେ ସାମିଲ ହେବା ପରେ ସୁଜିତ ବିଜେଡି ଉପରେ ବର୍ଷିଥିଲେ। ସେ କହିଲେ, ଆଗାମୀ ଦିନରେ ଦୁର୍ନୀତିର ବିସ୍ତୃତ ତଥ୍ୟ ସେ ଉପସ୍ଥାପନ କରିବେ। ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ପରେ ଉପରୋକ୍ତ ପ୍ରସଙ୍ଗ ବାବଦରେ ଜଣାଇବା ପରେ କୌଣସି ସୁଫଳ ମିଳି ନ ଥିଲା। ଏଥି ସହିତ ଓଡ଼ିଶାରେ ଯେଉଁ ବିକାଶ ହେବା କଥା ତାହା ହୋଇପାରିନାହିଁ । ଶେଷରେ ବାଧ୍ୟ ହୋଇ ବିଜେଡି ଛାଡିଲି। ମୋ ପାଇଁ ସର୍ବଦା ମାଟି ଆଗରେ, ତାପରେ ଦଳ। ବିଜେପିରେ ଯୋଗଦେବା ମୋ ପାଇଁ ଏକ ବଡ଼ ନିଷ୍ପତ୍ତି। ଏହା ମୋ ପାଇଁ ଖୁସିର ଦିନ। ଆଗାମୀ ୫ ବର୍ଷରେ ଓଡ଼ିଶା କିଭଳି ଦେଶର ଶୀର୍ଷ ରାଜ୍ୟ ହୋଇପାରିବ ସେ ଦିଗରେ ମୋର ପ୍ରୟାସ ରହିବ।। ମୁଁ ଦଳରୁ ଇସ୍ତଫା ଦେବା ପରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ମୋତେ ଦଳରୁ ବହିଷ୍କାର କରିବା ହାସ୍ୟାସ୍ପଦ। କୌଣସି ସର୍ତ୍ତରେ ମୁଁ ବିଜେପିରେ ସାମିଲ ହୋଇନାହିଁ। ଆଗକୁ ଦଳ ଯେଉଁ ଦାୟିତ୍ବ ଦେବ ତାହାକୁ ନିର୍ବାହ କରିବି।
ରାଜ୍ୟସଭାରୁ ବିଜେଡିର ଆଉ ଜଣେ ସାଂସଦ ଇସ୍ତଫା ଦେଇ ଏଭଳି କହିଛନ୍ତି । ମମତା ମହାନ୍ତଙ୍କ ପରେ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେଇ ରାଜନୀତିକୁ ସରଗରମ କରିଛନ୍ତି । ମମତା ବିଜେପିରେ ମିଶି ଏଭଳି ବିଜେଡିକୁ ଟାର୍ଗେଟ କରିଥିଲେ । ସୁଜିତ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ନୂଆଦିଲ୍ଲୀରେ ବିଜେପିରେ ଯୋଗ ଦେଇ ବିଜେଡି ବିରୋଧରେ ବିଷ ଓଗାଳିଛନ୍ତି। ନବୀନ ସରକାରରେ ଆଖିବୁଜା ଦୁର୍ନୀତି ଚାଲିଥିଲା ବୋଲି କହିଛନ୍ତି ।
ତେବେ ପ୍ରଶ୍ନ ଉଠିଛି ସୁଜିତ କୁମାରଙ୍କୁ ବିଜେପି ରାଜ୍ୟସଭାକୁ ପଠାଇବ କି ନାହିଁ । ଏହାର ଉତ୍ତର ହଁ ବେଶୀ ହୋଇପାରେ । କାରଣ ମମତା ମହାନ୍ତ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଲା ପରେ ବିଜେପିରେ ମିଶି ପୁଣି ରାଜ୍ୟସଭାକୁ ଗଲେ। ମମତାଙ୍କ ପରେ ଆଉ ଜଣେ ଦୁଇ ଜଣ ବିଜେଡି ସାଂସଦ ଦଳ ଛାଡ଼ିବେ ବୋଲି ବିଜେପି ନେତା କହୁଥିଲେ । ଚର୍ଚ୍ଚା ଜୋର୍ ଧରିଥିଲା। ଏବେ ସେହି ଚର୍ଚ୍ଚା ସତ ହୋଇଛି। ସୁଜିତ କୁମାର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ସାକ୍ଷାତ କରି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଅଧ୍ୟକ୍ଷ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ। ଏହାର କିଛି ସମୟ ପରେ ବିଜେଡିରୁ ତାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରାଗଲା ବୋଲି ଏକ ପ୍ରେସ୍ ବିବୃତି ଜାରି ହେଲା। କିନ୍ତୁ ସୁଜିତ ଏହାକୁ ଖଣ୍ଡନ କରିଥିଲେ। ବହିଷ୍କାର ଆଦେଶ ଜାରି ହେବା ପୂର୍ବରୁ ସେ ଇମେଲ୍ ଯୋଗେ ବିଜେଡିରୁ ଇସ୍ତଫା ଦେଇଥିଲେ ବୋଲି ସୂଚନା ଦେଇଥିଲେ।
ଇସ୍ତଫା ଦେବାର କିଛି ସମୟ ପରେ ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଜେପିର ସାଧାରଣ ସଂପାଦକ ଅରୁଣ ସିଂହ ଓ ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂହ ତୋମାର ପ୍ରମୁଖ ବିଜେପିର ସଦସ୍ୟତାପତ୍ର ଓ ଉତ୍ତରୀୟ ପିନ୍ଧାଇ ଶ୍ରୀ କୁମାରଙ୍କୁ ଦଳକୁ ସ୍ବାଗତ କରିଥିଲେ। ବିଜେପିରେ ଯୋଗଦେବାପରେ ସେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ବିଜେପି ଜାତୀୟ ସଭାପତିଙ୍କ ସମେତ ଦଳର ତୁଙ୍ଗ ନେତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ଶ୍ରୀ କୁମାର ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।
ସୁଜିତ କୁମାର ପ୍ରଥମେ ଯୋଜନା ବୋର୍ଡର ସ୍ବତନ୍ତ୍ର ସଚିବ ତଥା ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇ ମୁଖ୍ୟ ଶାସନ ସଚିବ ପାହ୍ୟା ଦିଆଯାଇଥିଲା। ସେହି ସମୟରେ ସେ ତୃତୀୟ ମହଲାର ଅତ୍ୟନ୍ତ ଘନିଷ୍ଠ ଥିଲେ। ପରେ ବିଜେଡିରେ ସାମିଲ ହୋଇ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ସୁଜିତଙ୍କ ପରେ ଆଉ କିଏ । ଚର୍ଚା ହେଉଛି ଆହୁରି ତିନି ଜଣ ସାଂସଦ ବିଜେଡି ଛାଡିବାକୁ ଆଲୋଚନା କରୁଛନ୍ତି । ଯଦି ସେପରି ହୁଏ ତେବେ ରାଜ୍ୟସଭାରେ ବିଜେଡି ତାର ପ୍ରଭାବ ଆଗାମୀ ଦିନରେ ହରାଇବ । ଏହାର ଦୋଷ କାହା ମୁଣ୍ଡରେ ଯିବ ତାହା ବିଜେଡି ଚିନ୍ତା କରିବ । କାରଣ ପାଣ୍ଡିଆନ ଏବଂ ବବି ଫ୍ୟାକ୍ଟର ଏବେ ବିଜେଡି ନେତାଙ୍କୁ ଦଳ ଛାଡିବା ପାଇଁ ଏକ ବାଟ ବାହର କରିଛି । ଯେଉଁ ରାସ୍ତାରେ ବିଜେଡି ନେତାମାନେ ବିଜେପିକୁ ଯିବା ପାଇଁ ଉଚିତ ମନେ କରୁଛନ୍ତି । ଆଗାମୀ ଦିନରେ ଆଉ କିଏ ତାହା ସମୟ କହିବ ।